ମିସ୍ ୟୁନିଭର୍ସ ୨୦୨୨ ଫାଇନାଲିଷ୍ଟ ୨୩ ବର୍ଷୀୟା ମଡେଲ ସିଏନା ୱିରଙ୍କ ଅକାଳ ବିୟୋଗ
6/05/2023 at 12:11 PM

କାନବେରା: ମିସ୍ ୟୁନିଭର୍ସ ୨୦୨୨ ଫାଇନାଲିଷ୍ଟ ଅଷ୍ଟ୍ରେଲିଆର ଫେସନ ମଡେଲ ୨୩ ବର୍ଷୀୟ ସିଏନା ୱିରଙ୍କର ଅକାଳ ବିୟୋଗ ହୋଇଛି। ଘୋଡ଼ା ଚଢ଼ୁଥିବା ବେଳେ ହଠାତ୍ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ ସିଏନା। ଗତମାସରେ ଦୁର୍ଘଟଣାର ଶିକାର ହୋଇଥିଲେ ସିଏନା।
ଏପ୍ରିଲ ୨ ତାରିଖରେ ୱିଣ୍ଡସୋର ପୋଲୋ ଗ୍ରାଉଣ୍ଡରେ ଘୋଡ଼ ଚଢ଼ୁଥିଲେ ସିଏନା। ଘୋଡ଼ା ଦୌଡ଼ୁଥିବା ବେଳେ ପଡ଼ିଯାଇଥିଲା। ଏହି ସମୟରେ ସେ ଭୟଙ୍କର ଆଘାତ ପାଇଥିଲେ। ସେବେଠାରୁ ସେ ଡାକ୍ତରଖାନାରେ ଲାଇଫ୍ ସପୋର୍ଟ ସିଷ୍ଟମରେ ରହି ଚିକିତ୍ସିତ ହେଉଥିଲେ। ହେଲେ ଗୁରୁବାର(ମଇ ୪) ତାରିଖରେ ପରିବାର ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ତାଙ୍କର ବିୟୋଗ ହୋଇଛି।
୨୦୨୨ରେ ଆୟୋଜିତ ହୋଇଥିବା ଅଷ୍ଟ୍ରେଲିଆ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ୨୭ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ସିଏନା ରହିଥିଲେ। ସିଡନୀ ୟୁନିଭର୍ସିଟିରୁ ସେ ଇଂରାଜୀ ସାହିତ୍ୟ ଓ ମନୋ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ। ସେ ବ୍ରିଟେନ୍ ଯାଇ ନିଜର ମଡେଲିଂ କ୍ୟରିୟରକୁ ଆଗକୁ ବଢାଇବାକୁ ଯୋଜନା କରିଥିଲେ। ତାଙ୍କର ଘୋଡ଼ା ଚଢ଼ରେ ପ୍ରବଳ ସଉକ ଥିଲା। ସେ ଅନେକ ସମୟରେ ଘୋଡ଼ ଦୌଡ଼ରେ ଭାଗ ବି ନେଉଥିଲେ।
ସିଏନାଙ୍କ ବିୟୋଗରେ ସୋସିଆଲ୍ ମିଡିଆରେ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଛି। ପରିବାର ବନ୍ଧୁ ବର୍ଗ ଓ ଫ୍ୟାନମାନେ ସିଏନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକ ପ୍ରକାଶ କରିଛନ୍ତି।