ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ବେଳେ ବିଭିନ୍ନ ସ୍କୁଲରେ ପରିଚାଳନାଗତ ତ୍ରୁଟି ଧରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା । ଗତ ୨୦ ତାରିଖ ଦିନ ମାତୃଭାଷା ପରୀକ୍ଷା ବେଳେ ୮ଟି ପରୀକ୍ଷା କେନ୍ଦ୍ରରେ ବିଭିନ୍ନ ପ୍ରକାର ବ୍ୟତିକ୍ରମକୁ ଧରିଛି AI କ୍ୟାମେରା । ଏଥି ମଧ୍ୟରେ ରହିଛି କଟକ ଜିଲ୍ଲାର ସର୍ବାଧିକ ୪ଟି ପରୀକ୍ଷା କେନ୍ଦ୍ର । ନରସିଂହପୁର ଏ.ଏନ.ହାଇସ୍କୁଲରେ ପରୀକ୍ଷା ସମୟରେ ନିୟୋଜିତ ଇନଭିଜିଲେଟରଙ୍କ କୋହଳ ମନୋଭାବ ଯୋଗୁଁ ପରୀକ୍ଷାର୍ଥୀମାନେ ନିଜ ନିଜ ଭିତରେ କଥାବର୍ତ୍ତା ହେଉଥିବାର ଦୃଶ୍ୟକୁ କଏଦ୍ କରିଛି AI କ୍ୟାମେରା ।
ସେହିଭଳି ଜଣେ ମହିଳା ପୋଲିସ କର୍ମୀ ବିନା କାରଣରେ ଏକ୍ଜାମିନେସନ ରୁମ୍କୁ ଯାଇଥିବାର ଜଣାପଡ଼ିଛି । କାନପୁର ଗାର୍ଲସ୍ ହାଇସ୍କୁଲରେ ପରୀକ୍ଷା ଚାଲିଥିବା ବେଳେ ଗୋଟିଏ ରୁମ୍ର ଝରକା ପାଖରେ ଜଣେ ବାହାର ବ୍ୟକ୍ତି ଠିଆ ହୋଇଥିବାର ଦୃଶ୍ୟ କଏଦ୍ ହୋଇଛି । ଜନାର୍ଦ୍ଦନପୁର ଚିତ୍ରୋତ୍ପଳା ନୋଡାଲ ହାଇସ୍କୁଲରେ ଇନଭିଜିଲେଟରଙ୍କ କାର୍ଯ୍ୟରେ ଅବହେଳା ପାଇଁ ପରୀକ୍ଷାର୍ଥୀମାନେ ନିଜ ନିଜ ଭିତରେ କଥାବାର୍ତ୍ତା ହେଉଥିଲେ ।
ଅଡ଼ସପୁର ପ୍ରାଚୀ ଏକାଡେମୀ ପରୀକ୍ଷା କେନ୍ଦ୍ରରେ ବୋର୍ଡ଼ ଦ୍ବାରା ନିର୍ଦ୍ଧାରିତ ସମୟରେ ପ୍ରଶ୍ନ ପତ୍ର ପ୍ୟାକେଟ୍ ଖୋଲାଯାଇନଥିଲା । ଏହାଛଡ଼ା କଳାହାଣ୍ଡି ଜିଲ୍ଲା କୋକସରାର ଜବାହାର ଉଚ୍ଚ ବିଦ୍ୟାଳୟରେ ଠିକ୍ ୯ଟା ୧୭ ମିନିଟ୍ରେ ଜଣେ ଶିକ୍ଷୟିତ୍ରୀ ମୋବାଇଲ ଫୋନ୍ରେ କଥା ହେଉଥିବାର ଭିଜୁଆଲ୍ କଏଦ୍ କରିଛି AI କ୍ୟାମେରା । ଢ଼େଙ୍କାନାଳ ମେରାମୁଣ୍ଡଳି ଅରବିନ୍ଦ ବିଦ୍ୟାମନ୍ଦିରରେ ଦିନ ୧୦ଟା ୪ମିନିଟ୍ ବେଳେ ରୁମ୍ ନମ୍ବର ୨ରେ କୌଣସି ଇନଭିଜିଲେଟର ନଥିଲେ ।
ପୁରୀ ଜିଲ୍ଲା ପିପିଲି ନୋଡାଲ ହାଇସ୍କୁଲରେ ନିର୍ଦ୍ଧାରିତ ସମୟରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲାଯାଇନଥିଲା । ନୟାଗଡ଼ ରଣପୁର ବିସି ହାଇସ୍କୁଲରୁ ମଧ୍ୟ ସମାନ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସମ୍ପୃ୍କ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକର ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ ନୋଟିସ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ ।ଏଥି ସହ ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଲାଗି ବିଭିନ୍ନ ବିଭାଗକୁ ଅବଗତ କରାଇଛନ୍ତି ବୋର୍ଡ଼ କର୍ତ୍ତୃପକ୍ଷ ।