ଭୁବନେଶ୍ୱର ଆକ୍ସିସ୍ ବ୍ୟାଙ୍କ ସମ୍ମୁଖରୁ କାର୍ ଭିତରୁ ୪ଲକ୍ଷ ଟଙ୍କା ଲୁଟିନେଲେ ୨ ଦୁର୍ବୃତ୍ତ

Published By : Prameya-News7 Bureau | October 31, 2018 IST

ଭୁବନେଶ୍ୱର ୩୧/୧୦: ଭୁବନେଶ୍ୱର ରାମ ମନ୍ଦିର ଛକ ନିକଟରେ ଥିବା ଆକ୍ସିସ ବ୍ୟାଙ୍କ ସାମ୍ନାରୁ ୪ଲକ୍ଷ ଟଙ୍କା ଲୁଟ୍ ହୋଇଛି । ମଟରସାଇକେଲରେ ଆସି ଦୁଇ ଜଣ ଲୁଟେରା ବ୍ୟାଙ୍କ ସାମ୍ନାରେ ଥିବା ଏକ କାର୍ ଭିତରୁ ୪ଲକ୍ଷ ଟଙ୍କା ଲୁଟି ନେଇଥିବା ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି । ବାଲିପାଟଣାର ବ୍ୟବସାୟୀ ସତ୍ୟଜିତ ମିଶ୍ର ଆଜି ଦିନ ପ୍ରାୟ ୨ଟା ବେଳକୁ ଶ୍ରୀୟା ସିନେମା ହଲ ସାମ୍ନାରେ ଥିବା ଆଇସିଆଇସିଆଇ ବ୍ୟାଙ୍କରୁ ୪ଲକ୍ଷ ଟଙ୍କା ଉଠାଇଥିଲେ । ଆକ୍ସିସ ବ୍ୟାଙ୍କରେ ମଧ୍ୟ ତାଙ୍କର ଆକାଉଣ୍ଟ ଥିବାରୁ ସେ ରାମ ମନ୍ଦିର ନିକଟ ଆକ୍ସିସ ବ୍ୟାଙ୍କକୁ ଯାଇଥିଲେ । ଆଇସିଆଇସିଆଇ ବ୍ୟାଙ୍କରୁ ସତ୍ୟଜିତ ଉଠାଇଥିବା ଟଙ୍କା କାର୍ ପଛ ସିଟ୍‌ରେ ଏକ ବ୍ୟାଗରେ ଥିଲା । ଡ୍ରାଇଭର ଗାଡ଼ିରେ ବସିଥିଲେ ଏବଂ ସତ୍ୟଜିତ ଆକ୍ସିସ ବ୍ୟାଙ୍କ ଭିତରକୁ ଯାଇଥିଲେ । ଏହି ସମୟରେ ବାଇକରେ ୨ଜଣ ଅଜଣା ଯୁବକ ଆସି ସେଠାରେ ପହଞ୍ଚିଥିଲେ । ସେମାନଙ୍କ ଭିତରୁ ଜଣେ କାର୍‌ର ଡ୍ରାଇଭରଙ୍କ ସହ କଥାବାର୍ତ୍ତା କରିଥିଲା । କିନ୍ତୁ ଠିକ୍ ଏହି ସମୟରେ ଅନ୍ୟ ଯୁବକ ଜଣକ କାର୍ ପଛପଟେ ଥିବା ପଇସା ଭର୍ତ୍ତି ବ୍ୟାଗକୁ କୌଶଳକ୍ରମେ ଉଠାଇ ନେଇଥିଲା । ଡ୍ରାଇଭର ତା’ର ଟେର୍ ମଧ୍ୟ ପାଇନଥିଲେ । ସତ୍ୟଜିତ ଆକ୍ସିସ ବ୍ୟାଙ୍କରୁ ଆସି ଗାଡ଼ିରେ ବସିବାପରେ ଟଙ୍କାବ୍ୟାଗ ନଥିବା ଜାଣିପାରିଥିଲେ । ସେତେବେଳେ ଡ୍ରାଇଭର ହୃଦଙ୍ଗମ କରିଥିଲେ ଯା, କିଛିସମୟ ତଳେ ତାଙ୍କସହ କଥା ହୋଇଥିବା ଯୁବକ ଏବଂ ତା’ର ସହଯୋଗୀ ଟଙ୍କାବ୍ୟାଗ ଲୁଟକରି ନେଇଛନ୍ତି । ଘଟଣା ସମ୍ପର୍କରେ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି । ତେବେ କାହାକୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ । ସୂଚନାଯୋଗ୍ୟ ଯେ, ସତ୍ୟଜିତ ଆଇସିଆଇସିଆଇ ବ୍ୟାଙ୍କରୁ ଟଙ୍କା ଉଠାଇବା ପରଠୁ ଲୁଟେରାମାନେ ତାଙ୍କୁ ପିଛା କରୁଥିବା ଅନୁମାନ କରାଯାଉଛି । ଭୁବନେଶ୍ୱର ଶ୍ୱାତି ସିନେମା ହଲ ସମ୍ମୁଖରେ ଥିବା ଆଇସିଆଇସିଆଇର ମୁଖ୍ୟ ଶାଖା ସମ୍ମୁଖରେ ଅଧିକାଂଶ ସମୟରେ ଏଭଳି ଲୁଟ୍ ଅଭିଯୋଗ ହୋଇଆସୁଛି । ଗତ କିଛିଦିନ ଭିତରେ ରାଜଧାନୀର ବିଭିନ୍ନ ସ୍ଥାନରେ ପୁଣି ଲୁଟେରାମାନେ ମାତିଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.