ସ୍କୁଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ : ଜଳିଗଲା ପାଠ୍ୟପୁସ୍ତକ ଓ ଜରୁରୀ କାଗଜପତ୍ର, ଲକ୍ଷାଧିକ ଟଙ୍କାର ଜିନିଷ ଲୁଟ୍
11/03/2020 at 1:37 PM

ବୌଦ୍ଧ ୧୧।୩: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଇଁଲାଚୁଆଁ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ କିଛି ଦୁର୍ବୃତ ନିଆଁ ଲଗାଇଦେଇଥିବା ଜଣାପଡିଛି । ବିଦ୍ୟାଳୟର ଅଫିସର ତାଲା ଭାଙ୍ଗି ସ୍କୁଲ ଭିତରେ ନିଆଁ ଲଗାଇ ଲକ୍ଷlଧିକ ଟଙ୍କାର ସମ୍ପତ୍ତି ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ଏହି ଅଗ୍ନିକାଣ୍ଡରେ ସ୍କୁଲରେ ଥିବା ୫ ଶହ ଖଣ୍ଡ ପାଠ୍ୟପୁସ୍ତକ, ଅଫିସର ଜରୁରୀ କାଗଜପତ୍ର ସମେତ ପିଲାଙ୍କ ବିଭିନ୍ନ ପାଠ୍ୟ ଉପକରଣ ସବୁ ଜଳି ପୋଡି ପାଉଁଶ ହୋଇଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ତେବେ ନିଆଁ ଲଗାଇବା ପରେ ପ୍ରାୟ ଲକ୍ଷେ ଟଙ୍କାର ଜିନିଷ ମଧ୍ୟ ଲୁଟି ନେଇଥିବା ଜଣାପଡିଛି ।

ତେବେ କିଏ ଏବଂ କାହିଁକି ଏଭଳି କାଣ୍ଡ ଘଟାଇଲା ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ କଣ୍ଟାମାଳ ପୋଲିସ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି ।