ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୁତ୍ତ, ରାତାରାତି ଲୁଟିନେଲେ ଠାକୁରଙ୍କ ସୁନା ଅଳଙ୍କାର
31/05/2023 at 9:40 PM

ଚଣ୍ଡିଖୋଲ, ୩୧/୦୫: ମାତିଲେ ଦୁର୍ବୁତ୍ତ… ରାତାରାତି ଏକାଧିକ ମନ୍ଦିରରୁ ଲୁଟିନେଲେ ଠାକୁରଙ୍କ ସୁନା ଅଳଙ୍କାର। ଘଟଣା ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରେ। ଏଠାରେ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ କଳାକାନ ବୁଲାଇଛନ୍ତି ଦୁର୍ବୁତ୍ତ।
ସୂଚନା ଅନୁଯାୟୀ, ଦୁର୍ବୁତ୍ତମାନେ ଗତକାଲି ରାତିରେ ବଡ଼ଚଣା ଅଂଚଳରେ ଦଧିବାମନ ଜୀଉ ମନ୍ଦିର, ରାହାସ ବିହାରୀ ମନ୍ଦିର, ଗ୍ରାମ ଦେବତୀ, ଶନି ମନ୍ଦିର, ଜାଗୁଳେଇ ମନ୍ଦିର, ହନୁମାନ ମନ୍ଦିର ସମେତ ୬ଟି ମନ୍ଦିରରୁ ଠାକୁରଙ୍କ ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି।
ଏହି ଦୁର୍ବୁତ୍ତମାନେ ମନ୍ଦିରରେ ଥିବା ହୁଣ୍ଡି ଭାଙ୍ଗି ମଧ୍ୟ ଦାନ ଟଙ୍କାଙ୍କୁ ଲୁଟି ନେଇଛନ୍ତି। ତେବେ ବୁଧବାର ସକାଳେ ଘଟଣା ସଂପର୍କରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳବାସୀ, ମନ୍ଦିରରୁ ଚୋରି ହୋଇଥିବା ନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବଡ଼ଚଣା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।