ବନ୍ଧୁକ ଦେଖାଇ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା

Published By : Prameya-News7 Bureau | February 23, 2020 IST

କଟକ ୨।୨: ରାତିର ଅନ୍ଧାର ଭିତରେ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ । ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା । କଟକ ଜଗତପୁର ଥାନା ଅଞ୍ଚଳ ନ୍ୟୁ-ତୋରଲ ଅଞ୍ଚଳରେ ଘଟିଛି ଏଭଳି ଲୁଟ୍ ଘଟଣା । ଅଭିଯୋଗ ପାଇବା ପରେ ପୋଲିସ ଛାନଭିନ ଆରମ୍ଭ କରିଛି । ଗତ ୪ ମାସ ଭିତରେ ଲଗାତାର ଭାବେ ଡକାୟତି ଓ ଲୁଟ୍ ଭଳି ଘଟଣା ଘଟୁଥିବାରୁ ଏବେ ସ୍ଥାନୀୟ ଲୋକେ ନିଜକୁ ସୁରକ୍ଷିତ ମନେ କରୁନଥିବା ଅଭିଯୋଗ କରିଛନ୍ତି । ଶୂନ ଶାନ ଅଞ୍ଚଳର ଫାଇଦା ନେଇ ଦୁବୃର୍ତ୍ତମାନ ଡକାୟତି କରୁଥନ୍ତି ।

ଜଗତପୁର ଥାନା ଅଞ୍ଚଳରେ ଏକ ଘରକୁ ୪ ଜଣ ଦୁବୃର୍ତ୍ତ ଟାର୍ଗେଟ୍ କରିଥିଲେ । ରାତିର ଅନ୍ଧାରର ଫାଇଦା ନେଇ ବୁଲାଇଲେ କଳାକନା । ଏ ହେଉଛି ଡାକୟତି ପରର ଦୃଶ୍ୟ । ଘରର ମୁଖ୍ୟ ଗେଟ୍‌ ହେଉ ବା ଭିତର ଗେଟ୍ ସମସ୍ତ ତାଲାକୁ ଭାଙ୍ଗିଦେଇଛନ୍ତି ଲୁଟେରା । ଘରେ ରହିଥିବା ଦୁଇ ଦୁଇଟି ଆଲମାରିରେ ରହିଥିବା ଜିନିଷପତ୍ର ସବୁ କିଛି ଏପଟ ସେପଟ ପଡି ରହିଛି ।

ଅଭିଯୋଗ ଅନୁଯାୟୀ ରାତି ପାଖାପାଖି ସମୟ ୨ଟା ବେଳେ ହଠାତ୍ ଘର ଭିତର ଗେଟ୍‌ ଭାଙ୍ଗିବାର ଶଦ୍ଧ ଶୁଣିବା ମାତ୍ର ପରିବାର ଲୋକେ ଉଠିଯାଇଥିଲେ । କିଛି ଭାବିବା ଆଗରୁ ମୁଖା ପିନ୍ଧା ଲୁଟେରାମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ । ଏପିରିକି ସମସ୍ତଙ୍କୁ ଗୋଟିଏ ରୁମରେ ରଖି ଲୁଟି ନେଇଥିଲେ ୩୦ ଭରି ସୁନା ଓ ୪୦ ହଜାର ଟଙ୍କା । ତେବେ ଦୁର୍ବୃତ୍ତମାନେ ଘରେ ରହିଥିବା ମୋବାଇଲ ଫୋନ, ଲ୍ୟାପଟପ କି ଟ୍ୟାବଲେଟକୁ ଛାଡି ପଲାଇଥିଲେ । ଏପରିକି ଫୋନର ସିମ୍ ଓ ଫୋନରେ ଥିବା ସିମ୍ ସ୍ଲଟକୁ ଭାଙ୍ଗି ଦେଇଥିଲେ । ଯାହାଫଳରେ ଡାକୟତଙ୍କ କବଳରେ ଥିବା ଲୋକେ କାହାକୁ ଯୋଗାଯୋଗ ବି କରିପାରିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.