ଅଭିନବ ଉପାୟରେ ଲୁଟ୍, ରେଳ କର୍ମଚାରୀଙ୍କ ସ୍ତ୍ରୀଙ୍କଠାରୁ ସୁନା ଗହଣା ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
14/08/2020 at 3:57 PM

ରାଉରକେଲା ୧୪।୮: ଅଭିନବ ଉପାୟରେ ଲୁଟି ନେଲେ ପାଖାପାଖି ୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା । ରାଉରକେଲା ବନ୍ଧମୁଣ୍ଡା ସେକ୍ଟର ଇ କ୍ବାର୍ଟର ନମ୍ବର ୨୭୮ରେ ରହୁଥିବା ରେଳ କର୍ମଚାରୀଙ୍କ ଘରୁ ଅଭିନବ ଉପାୟରେ ଲୁଟି ନେଲେ ସୁନା ଗହଣା ସହ ନଗଦ ୪ ହଜାର ଟଙ୍କା ।

ଶୁକ୍ରବାର ଦିନ ପ୍ରାୟ ୧୨ଟା ୩୦ ମିନିଟରେ ରେଳ କର୍ମଚାରୀ ମହେଶ୍ବର ମହାନ୍ତ ଅଫିସରେ କାମ କରୁଥିବା ବେଳେ ତାଙ୍କ ବାସଭବନକୁ ଜଣେ ବ୍ୟକ୍ତି ଆସି ତାଙ୍କ ସ୍ତ୍ରୀକୁ କହିଥିଲେ ଯେ ତାଙ୍କ ସ୍ବାମୀଙ୍କୁ ଭିଜିଲାନ୍ସ ଧରିଛି । ଘରେ ଥିବା ସମସ୍ତ ସୁନା ଅଳଙ୍କାର ସହ ଟଙ୍କା ଦେଇଦିଅନ୍ତୁ ଅନ୍ୟତ୍ର ରଖାଯିବ । ଅଜଣା ବ୍ୟକ୍ତିଙ୍କର କଥାରେ ରାଜି ହୋଇ ସ୍ତ୍ରୀ ନମ୍ରତା ମହାନ୍ତ ଘରେ ଥିବା ସମସ୍ତ ସୁନା ଅଳଙ୍କାର ସହ ନଗଦ ୪ ହଜାର ଟଙ୍କା ଦେବା ପରେ ଦୁର୍ବୃତ୍ତ ସେଠାରୁ ଛୁ ମାରିଥିଲେ । ସ୍ତ୍ରୀ ସ୍ବାମୀଙ୍କୁ ଫୋନ୍ କରିବାରୁ ଜଣାପଡିଲା ଯେ ଦୁର୍ବୃତ୍ତ ସୁନା ଅଳଙ୍କାର ସହ ନଗଦ ୪ ହଜାର ଟଙ୍କା ଲୁଟି ନେଇଛି । ଏନେଇ ବନ୍ଧମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ହେବା ପରେ ବନ୍ଧମୁଣ୍ଡା ପୋଲିସ ଘଟଣାର ଛାନଭିନ୍ କରୁଛି ।