ଶିକ୍ଷୟିତ୍ରୀଙ୍କ ଘରେ କଳକନା ବୁଲାଇଲେ ଲୁଟେରା, ଗ୍ରୀଲ୍ ତାଡି ନଗଦ ୨୦ ହଜାର ଟଙ୍କା ସହ ୪୦ ଭରି ସୁନା ଅଳଙ୍କାର ଲୁଟ୍
11/10/2019 at 11:00 AM

କାମାକ୍ଷାନଗର ୧୧।୧୦: ଶିକ୍ଷୟିତ୍ରୀଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । କାମାକ୍ଷାନଗର ଥାନା ବସଷ୍ଟାଣ୍ଡ ପଛପାଖ ନୀଳକଣ୍ଠ ନଗରରେ ରହୁଥିବା ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ମିଶ୍ରଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ଗ୍ରୀଲ୍ ତାଡି ନଗଦ ୨୦ ହଜାର ଟଙ୍କା ସହ ଝିଅର ବିବାହ ପାଇଁ କିଣାଯାଇଥିବା ୪୦ ଭରି ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
ତେବେ ଗତ ୬ତାରିଖରେ କାମାକ୍ଷାନଗରର ଅନନ୍ତପୁର ସ୍ଥିତ ଜଜ୍ଙ୍କ ଘରୁ ଗ୍ରୀଲ ତାଡି ଟଙ୍କା ଚୋରି ହୋଇଥିଲା । ସପ୍ତାହକ ମଧ୍ୟରେ ଦୁଇ ଦୁଇଟି ଲୁଟ୍ ହୋଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଲୁଟେରାଙ୍କ କୌଣସି ପତ୍ତା ପାଇପାରି ନାହିଁ । ପୋଲିସକୁ ଏକ ପ୍ରକାର ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରାମାନେ ଲୁଟ୍ କରିବାରେ ସକ୍ଷମ ହେଉଛନ୍ତି । ଯାହା ଫଳରେ କାମାକ୍ଷାନଗରର ଜନସାଧାରଣ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି।