ଜଳେଶ୍ବରରେ ପୁଣି ମାତିଲେ ପଲସର୍ ଲୁଟେରା, ମହିଳାଙ୍କଠାରୁ ଝାମ୍ପିନେଲେ ୭୦ହଜାର ଟଙ୍କା
8/08/2022 at 1:02 PM

ଜଳେଶ୍ବର ୮।୮: ଜଳେଶ୍ବର ଥାନା ଅଞ୍ଚଳରେ ପୁଣି ମାତିଲେ ପଲସର ଲୁଟେରା । ମହିଳାଙ୍କ ଠାରୁ ଲୁଟି ନେଲେ ୭୦ହଜାର ଟଙ୍କା । ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ସରଢ଼ିଆ ଅଞ୍ଚଳର ଜଣେ ମହିଳା ଘର କାମ ପାଇଁ ୟୁକୋ ବ୍ୟାଙ୍କରୁ ୭୦ ହଜାର ଟଙ୍କା ଉଠାଇଥିଲେ । ଟଙ୍କାକୁ ବ୍ୟାଗରେ ରଖି ମହିଳା ଜଣଙ୍କ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଜଳେଶ୍ବର ଥାନାଠାରୁ ୫୦ ମିଟର ଦୂରରେ ଥିବା ଅଭିନନ୍ଦନ ଲୁଗା ଦୋକାନ ସମ୍ମୁଖରେ ଲୁଟ୍ ହୋଇଥିଲା । ଦୁଇ ଜଣ ଲୁଟେରା ପଲସର ବାଇକ୍ରେ ଆସି ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଇଥିଲେ । ଏ ନେଇ ମହିଳା ଜଣଙ୍କ ଜଳେଶ୍ବର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ୍ର ମଧ୍ୟ ଯାଞ୍ଚ କରୁଛି ପୋଲିସ । ଏପର୍ଯ୍ୟନ୍ତ ଲୁଟେରାମାନଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଜଳେଶ୍ବର ଥାନା ଅଞ୍ଚଳରେ ଗୋଟିଏ ମାସରେ ଦୁଇ ଦୁଇଟି ଛିନତାଇ ଘଟଣା ସାମ୍ନାକୁ ଆସିଲାଣି । ସହରରେ ବାରମ୍ବାର ଚୋରି, ଡକାୟତି, ରାହାଜାନୀ ବଢି ବଢି ଚାଲିଥିବା ବେଳେ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।