ମାରଣାସ୍ତ୍ର ଦେଖାଇ ଗୋରୁ ବେପାରୀଙ୍କଠୁ ଲୁଟିନେଲେ ୫ ଲକ୍ଷ ଟଙ୍କା

Published By : Prameya-News7 Bureau | December 11, 2020 IST

ଜୟପାଟଣା ୧୧।୧୨: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡା ମହୁଲପଟଣା ୭ ନମ୍ବର ଘାଟି ରାସ୍ତାରେ ମାରଣାସ୍ତ୍ର ଦେଖାଇ ଲୁଟ୍ । ରାୟଗଡା ଜିଲ୍ଲାର ଜଣେ ଗୋରୁ ବେପାରୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍ କରି ଦୁର୍ବୃତ୍ତ ଫେରାର । ଜୟପାଟଣା ଥାନାରେ ଏ ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଉପଖଣ୍ଡିୟ ପୋଲିସ ଅଧିକାରୀ ନାରାୟଣ ନାଏକ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ ଗୁରୁବାର ଜୟପାଟଣା ସାପ୍ତାହିକ ବଜାର ଥିଲା । ଗୋରୁ କିଣିବା ପାଇଁ ରାୟଗଡା ଜିଲ୍ଲା ଦରାଗୁଡ଼ା ଥାନା ଅନ୍ତର୍ଗତ ଡି.କରଲ ଗାଁର ଚାରି ଗୋରୁ ବ୍ୟବସାୟୀ ଗୋବିନ୍ଦଚନ୍ଦ୍ର ନାଏକ, ଲବ ନାଏକ, ଭର୍ତ୍ତ ନାଏକ ଓ ସନାରୀ ନାଏକ ଓଆର୧୮ଏ ୮୮୨୬ ନମ୍ବର ବୋଲେରୋ ଗାଡି ଯୋଗେ ବଜାର କରିବା ପାଇଁ ଆସୁଥିଲେ । ମହୁଳପଟଣା ଘାଟି ରାସ୍ତା ଦେଇ ଯାଉଥିବାବେଳେ ୪ ନମ୍ବର ଘାଟିରେ ଲୁଚିଥିବା ୮ ଜଣ ଲୁଟେରା ସେମାନଙ୍କ ଗାଡିକୁ ଅଟକାଇ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ମାରପିଟ କରି ଟଙ୍କା ମାଗିଥିଲେ । ପରେ ଜବରଦସ୍ତି ଗାଡି ଭିତରୁ ଡିକି ଭାଙ୍ଗି ୫ ଲକ୍ଷ ଟଙ୍କା ଓ ଅନ୍ୟ ଦୁଇ ଜଣଙ୍କଠାରୁ ୨୨ ହଜାର ଟଙ୍କା ଲୁଟି ଫେରାର ମାରିଥିଲେ ।

ବୋଲେରୋ ଗାଡିର ଚାବି ମଧ୍ୟ କାଢି ନେଇଥିବା ବେଳେ ସେମାନେ ଏକ ବାଇକ ଚାବି ବ୍ୟବହାର କରି ଗାଡିକୁ ତଳକୁ ଆଣିଥିଲେ । ପରେ ଜୟପାଟଣା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଜୟପାଟଣା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନ, ଏସଆଇ ଲିଙ୍ଗରାଜ ସେଠୀ ତଦନ୍ତ କରୁଥିବା ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.