ସିରିଜ ମର୍ଡର ପରେ କଟକରେ ଫୁଟିଛି ବୋମା : ମିଠା ଦୋକାନ ଉପରେ ବୋମା ମାଡ କରି ଫେରାର ହେଲେ ଦୁର୍ବୃତ୍ତ, ଟେର ପାଉନି ପୋଲିସ
24/07/2019 at 4:20 PM

କଟକ ୨୪|୭: ଗୋଟିଏ ପଟେ ୩ ଜଣଙ୍କୁ ହତ୍ୟା ଅନ୍ୟପଟେ ଫୁଟଲା ବୋମା ।କଟକ ରେ ବିଗିଡିବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି ।୨୪ ଘଣ୍ଟାରେ ୩ଟି ମର୍ଡର କରି ପୋଲିସକୁ ଚ୍ୟାଲେଞ୍ଜ ଦେଇଥିବା, ସ୍ପଷ୍ଟ ଦିବାଲୋକରେ ବୋମାମାଡ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଯାହା ପୋଲିସର ପାରିବା ପଣିଆକୁ ପଦାରେ ପକାଇଛି ।ଖାନନଗର ଅଞ୍ଚଳରେ ବୋମାମାଡ ଘଟଣାରେ ପୋଲିସ ତଦନ୍ତ ଜାରି ରିଖିଥିବା ବେଳେ ଅପରାଧୀର ଟେର ପାଉନି ପୋଲିସ ।

ମାଡ କରି ଫେରାର ହୋଇଯାଇଛନ୍ତି ଅପରାଧୀ । ଖାନନଗର ଦୁର୍ଗା ଘର ନିକଟରେ ଥିବା ବେହେରା ସୁଇଟ୍ସ ଷ୍ଟଲ ଉପରେ ହୋଇଛି ବୋମା ମାଡ । ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଦୋକାନ ଉପରକୁ ବୋମା ଫିଙ୍ଗିଥିବା କହିଛନ୍ତି ଦୋକାନ ମାଲିକ । ତେବେ ଦୋକାନଙ୍କ କାହା ସହ ପୂର୍ବ ଶତ୍ରୁତା ନଥିବା କହିଛନ୍ତି । ତାଙ୍କ ପୁଅ ଖାନନଗର ଯୁବକ ସଂଘର ସଂପାଦକ ଥିବା ବେଳେ ତାଙ୍କର ମଧ୍ୟ କାହା ସହ ଶତ୍ରୁତା ନାହିଁ ବୋଲି ସେ କହିଛନ୍ତି ।

ବୋମା ମାଡ ଖବର ପାଇ ବାଦାମବାଡି ଥାନା ପୋଲିସ ଘଟଣା ସ୍ଥାଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କେବଳ ବୋମା ମାଡ ପରେ ହୋଉଥିବା ଧୁଆଁ ର ଦୃଶ୍ୟ କଏଦ ହୋଇଛି ।ତେଣୁ ନିକଟରେ ଲାଗିଥିବା ଅନ୍ୟ ସିସିଟିଭି କ୍ୟାମେରା ଗୁଡିକୁ ମଧ୍ୟ ଯାଞ୍ଚ କରିଛି ପୋଲିସ । ଗାଡିରେ ବସିଥିବା ବ୍ୟକ୍ତି ଗାମୁଛାରେ ମୁହଁ ଘୋଡାଇଥିବା ଜଣାପଡିଛି ।ହେଲେ କିଏ ଓ କାହିଁକି ବୋମାମାଡ କଲା ତାହା ଜଣାପଡିନାହିଁ ।

୨୦୧୭ ମସିହାରେ ବାଦାମବାଡି ରେ ହୋଇଥିବା ସିରିଜି ବୋମା ମାଡ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଏନକାଉଣ୍ଟର କରିଥିଲା । ଏହାପରେ ସହରରେ ବୋମା ମାଡ ସମ୍ପୁର୍ଣ୍ନ ବନ୍ଦ ରହିଥିଲା । ଏବେ ପୁଣି ଫୁଟିଛି ବୋମା, ଘଟଣାରେ ପୋଲିସ କଣ ପଦକ୍ଷପ ନେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।