ମାଗଣାରେ ଦୋକାନୀଙ୍କୁ ମାଗିଲେ ମଦ, ନଦେବାରୁ ବୋତଲ ଭାଙ୍ଗି କଲେ ଆକ୍ରମଣ
4/07/2023 at 10:45 AM

ମାର୍ଶାଘାଇ ୪।୭: ମାଗଣାରେ ମଦ ନ ଦେବାରୁ ତୁମୁଳକାଣ୍ଡ । ମଦ ଦୋକାନୀଙ୍କୁ ମଦ ବୋତଲରେ ଆକ୍ରମଣ କଲେ ଦୁର୍ବୃତ୍ତ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ନାରାୟଣପୁର ସରକାରୀ ବିଦେଶୀ ମଦ ଦୋକାନରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ନାରାୟଣପୁର ସରକାରୀ ବିଦେଶୀ ମଦ ଦୋକାନକୁ ୩ ଜଣ ଦୁର୍ବୃତ୍ତ ଆସି କର୍ମଚାରୀ ଜଣଙ୍କୁ ମାଗଣାରେ ମଦ ଦେବାକୁ କହିଥିଲେ । କର୍ମଚାରୀ ଜଣଙ୍କ ମାଗଣାରେ ମଦ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଥିଲେ । ଯାହା ଫଳରେ ଦୁର୍ବୃତ୍ତମାନେ ନିକଟରେ ଥିବା ମଦ ବୋତଲ ଭାଙ୍ଗି ସେହି ବୋତଲ ସାହାଯ୍ୟରେ କର୍ମଚାରୀ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରି ସେହି ସ୍ଥାନରୁ ପଳାଇ ଯାଇଥିଲେ । ଆକ୍ରମଣ ଫଳରେ ଆହତ କର୍ମଚାରୀ ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ଦୋକାନ ନିକଟରେ ପଡି ରହିଥିଲେ । ଦୋକାନୀଙ୍କୁ ଏପରି ଅବସ୍ଥାରେ ଦେଖି କିଛି ଯୁବକ ତାଙ୍କୁ ଚିକିତ୍ସା ପାଇଁ ମାର୍ଶାଘାଇ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସେ ଏବେ ଚିକିତ୍ସାଧୀନ ଅଛନ୍ତି ।
ତେବେ ଆହତ ଦୋକାନୀ ଜଣଙ୍କ ମାଲକାନଗିରି ଅଞ୍ଚଳର ତୁଷାର ବଣିକ ବୋଲି ଜଣାପଡିଛି । ସେ କିଛି ଦିନ ହେବ ଏହି ମଦ ଦୋକାନରେ କାମ କରି ଆସୁଥିଲେ । ତେବେ ଏନେଇ ମାର୍ଶାଘାଇ ଥାନାରେ ଏକ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ଜଣାପଡିନାହିଁ ।
You Can Read :