ସିଂଘୁ ସୀମାରେ ଚାଷୀ ଆନ୍ଦୋଳନସ୍ଥଳ ନିକଟରେ ଫୁଟିଲା ଗୁଳି, କାରରେ ଆସି ଫାଙ୍କା ଗୁଳିଚଳାଇ ଫେରାର ହେଲେ ଦୁର୍ବୃତ୍ତ

Published By : Prameya-News7 Bureau | March 08, 2021 IST

ନୂଆଦିଲ୍ଲୀ ୦୮/୦୩ : ଦିଲ୍ଲୀର ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ଟେଣ୍ଟ ଠାରୁ କିଛି ଦୂରରେ ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚଳନା କରିଥିବା ଅଭିଯୋଗ ହୋଇଛି । ସିଂଘୁ ବର୍ଡର ଠାରୁ ଏକ କିମି ଦୂର କୁଣ୍ଡଲୀ ଥାନା ଅଞ୍ଚଳରେ ଦୁବୃର୍ତ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି । ଘଟଣାକୁ ନେଇ ପୋଲିସ କହିଛି ଯେ, ବିଳମ୍ବିତ ରାତିରେ ଟିଡିଆଇ ସିଟି ସାମ୍ନାରେ ଗୁଳିଚାଳନା ହୋଇଥିବାର ଖବର ମିଳିଥିଲା । ଏହା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ।

ସେଠାରେ ଉପସ୍ଥିତ ଚାଷୀ ପୋଲିସକୁ ସୂଚନା ଦେଇ କହିଛନ୍ତି, ଉକ୍ତ ଗାଡିରେ ପଞ୍ଜାବର ନମ୍ବର ପ୍ଲେଟ୍‌ ଥିଲା ଏବଂ ସେଥିରେ କିଛି ଲୋକ ମଧ୍ୟ ଆସିଥିଲେ । ଖାଇବାକୁ ନେଇ ସେମାନଙ୍କ ମଧ୍ୟରେ କିଛି ସମୟ ଝଗଡା ହୋଇଥିଲା । ଏହା ପରେ ସେମାନଙ୍କ ମଧ୍ୟରୁ କେହି ଜଣେ ବନ୍ଧୁକ ବାହାର କରି ଫାଙ୍କା ଗୁଳିଚାଳନା କରିବା ଆରମ୍ଭ କରିଦେଇଥିଲା । ଅଭିଯୁକ୍ତମାନେ ୩ ରାଉଣ୍ଡ ଗୁଳି ଚଳାଇଥିବା ପୋଲିସକୁ ସୂଚନା ଦେଇଛନ୍ତି ଚାଷୀ । ଏହା ପରେ ୪ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ତେବେ ଘଟଣାକୁ ନେଇ ପୋଲିସ ତତ୍ପର ହୋଇଉଠିଛି । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ନିକଟରେ ଲାଗିଥିବା ସିସିଟିଭି ଗୁଡିକର ଫୁଟେଜ୍‌ ଯାଞ୍ଚ କରୁଛି ପୋଲିସ । ଯାହାଫଳରେ କି ଗାଡି ନମ୍ବର ଏବଂ ଅଭିଯୁକ୍ତମାନଙ୍କ ବାବଦରେ କିଛି ସୂଚନା ମିଳିପାରିବ । ତେବେ ସେମାନେ ଚାଷୀ ଆନ୍ଦୋଳନସ୍ଥଳ ନିକଟରେ କାହିଁକି ଫାଙ୍କା ଗୁଳି ଫୁଟାଇଲେ ତାହାର ସଠିକ୍‌ ତଥ୍ୟ ଜଣାପଡିନାହିଁ । ପୋଲିସ ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରି ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.