ନୀଳଗିରି ୧୪।୧୨: ନୀଳଗିରି କଲେଜର ଫିଜିକ୍ସ ବିଭାଗର ଅଧ୍ୟାପକଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ। ଜଣେ ଛାତ୍ରୀଙ୍କୁ ପାସ୍ କରାଇ ଦେବାକୁ କହି ହୋଟେଲ୍ ରୁମ୍ ଯିବାକୁ ଅଧ୍ୟାପକ ଡାକିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ସମ୍ପର୍କୀୟ ଏଭଳି ଅଭିଯୋଗ ଆଣି ଅଧ୍ୟାପକଙ୍କୁ ମାଡ ମାରିଛନ୍ତି। ଅପର ପକ୍ଷରେ ଅଧ୍ୟାପକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମୁଁ ସେଭଳି କିଛି କହି ନାହିଁ ବୋଲି ଅଧ୍ୟାପକ କହିଛନ୍ତି। ତେବେ ଏହି ଘଟଣା ପରେ ନୀଳଗିରି କଲେଜର ପ୍ରିନ୍ସିପାଲ ଦମୟନ୍ତୀ ପ୍ରଧାନ ସମ୍ପୃକ୍ତ ଅଧ୍ୟାପକଙ୍କୁ କାର୍ଯ୍ୟାଳୟକୁ ଡାକି ତାଗିଦ୍ କରିଛନ୍ତି।
ଖବର ଅନୁଯାୟୀ, ନୀଳଗିରି କଲେଜର ଫିଜିକ୍ସ ବିଭାଗର ଅଧ୍ୟାପକ ଅମର ବଲ୍ଳଭ ପଣ୍ଡାଙ୍କ ବିରୋଧରେ ଜଣେ ଛାତ୍ରୀ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ଯୁକ୍ତ ଦୁଇ ଛାତ୍ରୀଙ୍କୁ ଏକ କୋଚିଂ ସେଣ୍ଟରରେ ପରୀକ୍ଷାରେ ପାସ୍ କରାଇ ଦେବେ ବୋଲି କହି ହୋଟେଲ୍ ଡାକିଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀ ଜଣଙ୍କ ତାଙ୍କ ଘରେ ଜଣାଇଥିଲେ। ଏହାପରେ ମଙ୍ଗଳବାର ସକାଳେ ଅଧ୍ୟାପକ କୋଚିଂ ସେଣ୍ଟର ଯାଇଥିବା ବେଳେ ଛାତ୍ରୀଙ୍କ ସମ୍ପର୍କୀୟ ଅଧ୍ୟାପକଙ୍କ ଉପରେ ବର୍ଷିଥିଲେ। ଏସମ୍ପର୍କରେ ନୀଳଗିରି କଲେଜର ପ୍ରିନ୍ସିପାଲ ଦମୟନ୍ତୀ ପ୍ରଧାନ ଜାଣିବା ପରେ ସମ୍ପୃକ୍ତ ଅଧ୍ୟାପକଙ୍କୁ କାର୍ଯ୍ୟାଳୟକୁ ଡାକି ତାଗିଦ୍ କରିଛନ୍ତି।
ସେପଟେ ଅଧ୍ୟାପକ ଅମର ବଲ୍ଲଭ ପଣ୍ଡା ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ସେପରି କିଛି କହି ନାହିଁ। ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା । ଛାତ୍ରୀ ଜଣଙ୍କ ତିନି ଚାରି ଦିନ ତଳେ କ୍ଲାସ ନକରି ମୋବାଇଲ୍ରେ ଗପୁଥିଲେ। ଏହା ଦେଖି ହୋଟେଲ୍ ଚାଲି ଯାଉନୁ ଗପିବୁ ବୋଲି କହିଥିଲି। ଏହା ମୋ ପାଟିରୁ ସ୍ଲିପ୍ ହୋଇଯାଇଛି। ତେବେ ଏହି ଘଟଣା ନେଇ ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଜଣା ପଡିବ ବୋଲି ମତ ପ୍ରକାଶ ପାଇଛି।