ବଦ୍ରିନାଥଙ୍କ କବାଟ ଖୋଲିବା ପରେ ହେଲା ଚମତ୍କାର, ତୀର୍ଥ ପୁରୋହିତ କହିଲେ ଦେଶ ଲାଗି ଶୁଭ
28/04/2023 at 4:05 PM

ଗଡୱାଲ ୨୮।୪: ଚଳିତବର୍ଷ ଚାରଧାମ ଯାତ୍ରା ନିମନ୍ତେ ବଦ୍ରିନାଥ ଧାମର କବାଟ ଖୋଲିଛି। ପ୍ରଶିଦ୍ଧ ବୃଷ ଲଗ୍ନରେ ବଦ୍ରିନାଥଙ୍କ ମନ୍ଦିରର କବାଟ ଖୋଲିଥିଲା। ତେବେ ବଦ୍ରିନାଥଙ୍କ କବାଟ ଖୋଲିବା ପରେ ଧାମରେ ଏକ ଚମତ୍କାର ହୋଇଛି। ତୀର୍ଥ ପୁରୋହିତ ଏହାକୁ ଦେଶ ଲାଗି ଶୁଭ ସଂକେତ ବୋଲି କହିଛନ୍ତି। ବୈଦିକ ମନ୍ତ୍ରୋଚାରଣ ଓ ବଦ୍ରିନାଥଙ୍କ ଜୟ ଘୋଷରେ କବାଟ ଖୋଲିଥିଲା। ତେବେ କବାଟ ଖୋଲିବା ପରେ ଏପରି ଚମତ୍କାର ହେଲା ଯାହା କୌଣସି ଆଶ୍ଚର୍ଯ୍ୟରୁ କମ୍ ନୁହେଁ। କବାଟ ଖୋଲିବା ପରେ ଭଗବାନ ବଦ୍ରିନାଥଙ୍କୁ ଘୋଡା ଯାଇଥିବା ଘୃତ କମ୍ବଳର ଘିଅ ଚଳିତ ବର୍ଷ ମଧ୍ୟ ତାଜା ଥିବା ଦେଖାଯାଇଛି।
ବଦ୍ରିନାଥଙ୍କ ଧର୍ମାଧିକାରୀ ରାଧାକୃଷ୍ଣ ଥପଲିୟାଲ ଘୃତ କମ୍ବଳରେ ଘିତ ତାଜା ଥିବାର ଅର୍ଥ ଚଳିତବର୍ଷ ମଧ୍ୟ ଦେଶରେ ଖୁସି ବିରାଜମାନ କରିବ। ଗତବର୍ଷ ମଧ୍ୟ କମ୍ବଳରେ ଲାଗିଥିବା ଘିଅ ତାଜା ଥିଲା। ଏତେ ହୀମପାତ ଓ ଥଣ୍ଡା ସତ୍ତ୍ୱେ ଘିଅ ବସି ନଯିବା କୌଣସି ଚମତ୍କାର ଠାରୁ କମ୍ ନୁହେଁ ବୋଲି ଧର୍ମାଧିକାରୀ କହିଛନ୍ତି। ଧାର୍ମିକ ପରମ୍ପରା ଅନୁସାରେ ମନ୍ଦିରର କବାଟ ବନ୍ଦ ହେବା ପୂର୍ବରୁ ବଦ୍ରିନାଥଙ୍କୁ ଘିଅ ବୋଳା କମ୍ବଳ ଘୋଡାଇ ଦିଆଯାଇଥାଏ। ଏହି କମ୍ବଳକୁ ବିଶେଷ କରି ମାଣା ଗ୍ରାମର ମହିଳାମାନେ ପ୍ରସ୍ତୁତ କରିଥାନ୍ତି।

କନ୍ୟା ଓ ସୁହାଗିନୀଙ୍କ ଦ୍ୱାରା ଏହି କମ୍ବଳକୁ ଗୋଟିଏ ଦିନରେ ତିଆରି କରାଯାଏ। ଯେଉଁ ଦିନ ଘିଅ କମ୍ବଳ ତିଆରି ହୁଏ ଏହି କାର୍ଯ୍ୟରେ ନିୟୋଜିତ ମହିଳା ଓ କନ୍ୟା ମାନେ ଉପବାସ ବ୍ରତ ରଖିଥାନ୍ତି। ଘିଅରେ ଭିଜା ଯାଇଥିବା ଉଲ କମ୍ବଳକୁ ଭଗବାନ ବଦ୍ରିନାଥଙ୍କୁ ଘୋଡା ଯାଇଥାଏ ଓ କବାଟ ଫିଟିବା ପରେ ସର୍ବ ପ୍ରଥମେ ଏହି କମ୍ବଳକୁ ଦେଖାଯାଇଥାଏ। ଯଦି କମ୍ବଳର ଘିଅ ଅଧିକ ସୁଖି ନଥାଏ ତେବେ ଦେଶରେ ବର୍ଷ ତମାମ ହସଖୁସିର ପରିବେଶ ରହିଥାଏ। ଯଦି କମ୍ବଳରେ ଘିଅ ସୁଖିଯାଇଥାଏ ତେବେ ସେ ବର୍ଷ ଦେଶରେ ମରୁଡି ଅଥବା ଅଧିକ ବର୍ଷା ହେବା ଯୋଗୁ ପ୍ରାକୃତିକ ବିପର୍ଯ୍ୟ ସୃଷ୍ଟି ହେବାର ଆଶଙ୍କା କରାଯାଏ।
ହାଲୁକା ହୀମପାତ ଓ ବର୍ଷା ମଧ୍ୟରେ ଗୁରୁବାର ଗଡୱାଲ ହିମାଳୟର ବିଶ୍ୱପ୍ରଶିଦ୍ଧ ବଦ୍ରିନାଥ ଧାମର କବାଟ ସମ୍ପୂର୍ଣ୍ଣ ବିଧିବିଧାନରେ ଭକ୍ତମାନଙ୍କ ନିମନ୍ତେ ଖୋଲି ଦିଆଯାଇଛି। ଏହା ସହିତ ଉତ୍ତରାଖଣ୍ଡର ବାର୍ଷିକ ଚାରିଧାମ ଯାତ୍ରା ମଧ୍ୟ ଆରମ୍ଭ ହୋଇଯାଇଛି। ଉଚ୍ଚ ଗଡୱାଲ କ୍ଷେତ୍ରରେ ଅବସ୍ଥିତ ଚାରିଧାମର କବାଟ ପ୍ରତିବର୍ଷ ଶୀତ ଋତୁ ଆଗମନରେ ବନ୍ଦ କରିଦିଆଯାଏ। ଯାହା ତା ପରବର୍ଷ ଏପ୍ରିଲ-ମେ ମାସରେ ପୁଣି ଖୋଲିଥାଏ। ମାନ୍ୟତା ରହିଛି ଶୀତ ଦିନେ ଏଠାରେ ଭଗବାନଙ୍କ ପୂଜା ଦେବତାମାନେ କରିଥାନ୍ତି।