ନାବାଳିକା ଖୋଲିଲା ଗୁମର, ଭୋଜପୁର ହାଇପ୍ରୋଫାଇଲ ସେକ୍ସ ରାକେଟ୍ ରେ ଠିକାଦାର, ଯନ୍ତ୍ରୀଙ୍କ ସମେତ ସାମିଲ ଥିଲେ ବିଧାୟକ
27/07/2019 at 4:49 PM

ପାଟନା: ଦେବ ବ୍ୟବସାୟର ପଙ୍କରେ ଘାଣ୍ଟି ହେଉଥିବା ଏକ ନାବାଳିକା ପୋଲିସ ଆଗରେ ବିହାର ଭୋଜପୁରରେ ଚାଲିଥିବା ହାଇପ୍ରୋଫାଇଲ ସେକ୍ସ ରାକେଟ୍ ର ଗୁମର ଖୋଲିଛି। ଯାହାକୁ ନେଇ ଏବେ ରାଜଧାନୀ ପାଟନା ବି ଉଠପଡ ହେଉଛି। ପୋଲିସ ଓ କୋର୍ଟଙ୍କୁ ନାବାଳିକା ତାଙ୍କ ସହ ଘଟିଥିବା ଘଟଣାର ଟିକନିକ୍ ବିବରଣୀ ଶୁଣାଇଥିବା ବେଳେ ତାଙ୍କର ବୟାନକୁ କୋର୍ଟ ଧାରା ୧୬୪ରେ ରେକର୍ଡ କରିଛନ୍ତି।

ନାବାଳିକାକୁ ରାକେଟର ସଞ୍ଚାଳିକା ଅନେକ ଠିକାଦାର, ଇଞ୍ଜିନିୟର ଓ ବିଧାୟକଙ୍କ ଘରୁ ନେଇଥିବା ବୟାନରେ କହିବା ପରେ ପୋଲିସ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଚିହ୍ନଟ କରିଛି। ତେବେ ଏପର୍ଯ୍ୟନ୍ତ ବିଧାୟକଙ୍କ ଚିହ୍ନଟ ହୋଇପାରି ନାହିଁ। ହେଲେ ଘଟଣା ପ୍ରଚାରିତ ହେବା ପରେ ରାଜନୈତିକ ଅଳିନ୍ଦରେ ହଟଚମଟ ସୃଷ୍ଟି ହୋଇଛି। ମାମଲାରେ ଭୋଜପୁର ପୋଲିସ ନିରବତା ଅବଲମ୍ବନ କରୁଛି। ତେବେ ମାମଲା ପୋଲିସ ପୂର୍ବରୁ କୋର୍ଟରେ ପହଞ୍ଚିସାରିଥିବାରୁ ଘଟଣାରେ ଜଣେବି ହେଲେ ଅଭିଯୁକ୍ତ ବର୍ତ୍ତିବେ ନାହିଁ ବୋଲି ଏବେ ସ୍ପଷ୍ଟ ହୋଇଯାଇଛି।

ବିହାରରେ ଧଳା ପୋଷାକ ଆଢୁଆଳରେ ଚାଲିଥିବା କଳାକାରନାମାର ଗୋଟିକ ପରେ ଗୋଟିଏ ପେଡି ଖୋଲିବାରେ ଲାଗିଛି। ଦେହ ବ୍ୟାବସାୟ ହେଉ ଅଥବା ଅବୈଧ ନିଶା କାରବାର ସବୁ ପଛରେ ବଡବଡିଆ ଧୋବଧାଉଳିଆ ବାବୁଙ୍କ ହାତ ସ୍ପଷ୍ଚ ବାରି ହୋଇ ପଡୁଛି। ତେବେ ନାବାଳିକାର ଆପବିତି ଏବେ ପ୍ରଚଳିତ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ନାବାଳିକାଙ୍କ ଭାଇଙ୍କ ଏତଲା ଆଧାରରେ ପୋଲିସ ଏକ ମୋକଦ୍ଦମା ରୁଜୁ କରିଥିବା ବେଳେ ତାଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଇଥିବା ମହିଳା ଅନୀତା ଦେବୀଙ୍କୁ ପୋଲିସ ଗିରଫ କରିଛି।