ରାଜଧାନୀରେ ସ୍ପଷ୍ଟ ଦିବାଲୋକରେ ଦୁଷ୍କର୍ମ ଉଦ୍ୟମ : ଅଭିଯୁକ୍ତକୁ ଧରି ଛେଚିଲେ ଲୋକେ, ପୋଲିସ କଲା ଗିରଫ
26/10/2019 at 1:49 PM

ଭୁବନେଶ୍ବର ୨୬|୧୦: ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଅଂଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ଘରେ ଏକୁଟିଆ ଥିବା ଜଣେ ୯ବର୍ଷ ବୟସ୍କା ନାବାଳିକାଙ୍କୁ ୨୫ ବର୍ଷ ବୟସ୍କ ଯୁବକ ବିଜୟ ପ୍ରଧାନ ଦୁଷ୍କର୍ମ ଉଦ୍ୟମ କରିଛି ।
ଆଜି ସକାଳେ କିଛି ସମୟ ପାଇଁ ୯ ବର୍ଷର ଝିଅକୁ ଘରେ ଏକୁଟିଆ ଛାଡି ବାପା ମା ବାହାରକୁ ଯାଇଥିଲେ । ଘରର କବାଟ ଖୋଲାଥିଲା । ଫଳରେ ଉପରୋକ୍ତ ଅଭିଯୁକ୍ତ ଘର ଭିତରକୁ ପଶିବା ସହ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିଲା । ନାବାଳିକା ଏଥିରେ ଭୟଭୀତ ହୋଇ ଚିତ୍କାର କରୁଥିଲେ ।

ତେବେ ଠିକ୍ ଏହି ସମୟରେ ନାବାଳିକାଙ୍କ ପରିବାରଲୋକେ ଫେରିଆସିଥିଲେ । ଘଟଣାସ୍ଥଳରେ ହିଁ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲେ । ସଂପୃକ୍ତ ଅଞ୍ଚଳବାସୀ ଏହି ଖବର ଜାଣିବାପରେ ଅଭିଯୁକ୍ତକୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିବା ସହ ଏୟାରଫିଲ୍ଡ ପୋଲିସକୁ ଖବର ଦେଇଥିଲେ ।
ଏୟାରଫିଲ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରିବା ସହ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତର ଡାକ୍ତରୀମାଇନା କରାଇବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଲୋକେ ଆତଙ୍କିତ ହେବା ସହ ଉତ୍ତେଜନା ଦେଖାଦେଇଛି ।