ଅଢେଇ ମାସ ହେଲା ନାବାଳିକା ଝିଅର ପତ୍ତା ମିଳୁନି, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବାପା-ମା’

Published By : Prameya-News7 Bureau | August 23, 2022 IST

କେନ୍ଦୁଝର ୨୩।୮: କେନ୍ଦୁଝରରେ ଜଣେ ନାବାଳିକା ଝିଅକୁ ସ୍ପଷ୍ଟ ଦିବାଲୋକରେ ଘରୁ ଅପହରଣ କରି ନେବା ଘଟଣାକୁ ଅଢେଇ ମାସ ପୁରିଗଲାଣି । ଅପହରଣକାରୀର ନାଁ ଗାଁ ଠିକଣା ସହ ଥାନାରେ ପରିବାର ଲୋକେ ଅଭିଯୋଗ କରିବା ପରେ ବି ଫଳ ଶୂନ । ଶେଷରେ ନିରୁପାୟ ହୋଇ ବାପା-ମା' ନିବାଳିକା ଝିଅକୁ ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର  ପଣ୍ଡାପଡା ଥାନା ଓସ୍ତପଙ୍ଗା ଗ୍ରାମର ଗୌରୀ ମହାନ୍ତଙ୍କ ଆଭିଯୋଗ ଅନୁସାରେ ଜୁନ୍ ମାସ ୫ ତାରିଖରେ ସେ ଓ ତାଙ୍କ ସ୍ଵାମୀ ଚିକିତ୍ସା ପାଇଁ ଚିକିତ୍ସାଳୟକୁ ଯାଇଥିଲେ । ଘରେ ତାଙ୍କର ବୃଦ୍ଧା ଶାଶୁ ଓ ନାବାଳିକା ଝିଅ ଥିଲେ । ଏହି ସମୟର ସୁଯୋଗ ନେଇ କେହି

ତାଙ୍କ ଝିଅକୁ ଅପହରଣ କରି ଗାଡିରେ ନେଇଯାଇଥିଲେ । ବାପା-ମା' ଘରକୁ ଫେରି ଝିଅକୁ ନପାଇବାରୁ ତୁରନ୍ତ ପଣ୍ଡାପଡା ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ କେଶ୍ ରୁଜୁ କରି ନଥିଲା କି ଝିଅକୁ ଖୋଜିବାରେ ପୋଲିସ ପକ୍ଷରୁ କୌଣସି ସହଯୋଗ କରାଯାଇ ନଥିଲା ବୋଲି ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାପରେ ଶିଶୁ ସୁରକ୍ଷା ବିଭାଗକୁ ଅବଗତ କରିବା ପରେ ପରବର୍ତ୍ତୀ ସମୟରେ ଅଗଷ୍ଟ ମାସ ୨ ତାରିଖରେ ପଣ୍ଡାପଡା ଥାନାରେ ଏ ସମ୍ବନ୍ଧୀୟ ଏକ କେସ୍ ରୁଜୁ କରାଗଲା । ତେବେ ଅପହରଣକୁ ଅଢେଇ ମାସ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅପହୃତା ନାବାଳିକାଙ୍କର ପତ୍ତା ପାଇପାରି ନାହିଁ ପୋଲିସ । ଆହୁରି ମଧ୍ୟ ନାବାଳିକାଙ୍କ ମା'ଙ୍କ କହିବା କଥା ତାଙ୍କ ନାବାଳିକା ଝିଅଙ୍କୁ ପାଟଣା ଥାନା ଅଞ୍ଚଳର ପୁରୁଣିଆ ଗାଁର ନେତ୍ରାନନ୍ଦ ମହାନ୍ତଙ୍କର ପୁଅ ଗୌର ମହାନ୍ତ ଅପହରଣ କରି ନେଇଛି ଓ ଏବେ ତାଙ୍କୁ ମୋବାଇଲରେ ଧମକ ଦେଉଛି । ଏପରିକି ତାଙ୍କ ଝିଅର ଅନିଛା ସତ୍ତ୍ୱେ ତାଙ୍କୁ ବିବାହ କରି ବିବାହ ସମୟର ଫଟୋ ତାଙ୍କ ନିକଟକୁ ମୋବାଇଲରେ ପଠାଇଛି ।  ସମସ୍ତ ପ୍ରମାଣ ସହ ପୋଲିସ ପାଖରେ ଆଭିଯୋଗ ପରେ ମଧ୍ୟ  ପୋଲିସ ନୀରବଦ୍ରଷ୍ଟା ସାଜିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପୋଲିସଠାରୁ ନ୍ୟାୟ ନ ପାଇ ଶେଷରେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ନାବାଳିକାଙ୍କ ପରିବାର ।

ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ନାବାଳିକାଙ୍କ ମା' ଗୌରୀ ମହାନ୍ତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏ ସମ୍ବନ୍ଧୀୟ ଲିଖିତ ଦରଖାସ୍ତ ପ୍ରଦାନ କରିଛନ୍ତି । ପୋଲିସକୁ ଆମ ତରଫରୁ ଅବଗତ କରାଯିବ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୁଶମା ବିଲୁଙ୍ଗ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.