୧୦ ମାସ ପୂର୍ବରୁ ନିଖୋଜ ଥିଲା ନାବାଳିକା ଝିଅ; ହତ୍ୟା ସନ୍ଦେହରେ ୫ ଜଣଙ୍କୁ ପଚରାଉଚୁରା କରୁଛି ପୋଲିସ

Published By : Prameya-News7 Bureau | November 07, 2022 IST

ନୂଆପଡ଼ା ୦୭/୧୧: ନାବାଳିକା ଝିଅର ହତ୍ୟା ଏବେ ସନ୍ଦେହ ଘେରରେ। ଏନେଇ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ଏକ ଚିଠି ମିଳିବା ପରେ ଚିନ୍ତାରେ ପରିବାର। ଝିଅ ଘରେ ଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା। ପରେ ପରିବାର ଲୋକ ବହୁ ଖୋଜାଖୋଜି ପରେ ତାକୁ ପାଇନଥିଲେ।ଏନେଇ ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ଏବେ ଚିଠି ଆଧାରରେ ଥାନାରେ ଅଭିଯୋଗ ପରେ ପୋଲିସ ଏନେଇ ଅଧିକ ତନାଘନା ଚଳାଇଛି। ଏଥିରେ ପୋଲିସ ପାଞ୍ଚଜଣଙ୍କୁ ଅଟକ ରଖି ଏବେ ପଚରାଉଚୁରା କରିଛି।   

ଖବର ଅନୁସାରେ, ଜାନୁଆରୀ ୧ ତାରିଖ ରାତିରେ ନୂଆପଡା ଜିଲ୍ଲା ସଦର ଥାନା ରତିପାଲି ଗାଁର ଘଟଣା। ଏକଲବ୍ୟ ସ୍କୁଲରେ +୨ ପ୍ରଥମ ବର୍ଷ ପଢୁଥିବା ଝିଅ ଘରକୁ ଆସିଥାଏ। ହେଲେ ରାତିରେ ଝୀଅ ହିତେଶ୍ବରୀ ନାଏକ କୋଠରୀରେ ନାହିଁ ଦେଖିବା ପରେ ମା ସୁମିତ୍ରା ସ୍ବାମିଙ୍କୁ କହିଥିଲେ। ପରେ ପାଖ ପଡୋଶିଙ୍କ ସହ ପରିବାର ଲୋକ ମିଶି ଝିଅକୁ ଖୋଜାଖୋଜି କଲେ। ସମ୍ପର୍କିୟଙ୍କ ସାହାଯ୍ୟରେ ଖୋଜାଖୋଜି ପରେ ଜାନୁଆରି ୯ ତାରିଖ ଦିନ ନୂଆପଡା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ନିଖୋଜ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିଲା।

ଏହା ସତ୍ୱେ ମଧ୍ୟ ପରିବାର ଲୋକ ଖୋଜିବା ଛାଡ଼ି ନଥିଲେ। କିଛିଦିନ ତଳେ ଝିଅକୁ ହତ୍ୟା କରାଯାଇଛି ବୋଲି ଜଣେ ବ୍ୟକ୍ତି କହିଥିଲେ। ସେହି ସମୟରେ ଛତିଶଗଡ଼ ମହାସମୁନ୍ଦରୁ ଏକ ଅଜଣା ଚିଠି ଧନିରାମ ନାଏକଙ୍କ ନାମରେ ଆସିଥିଲା। ଏହି ଚିଠିରେ ହିତେଶ୍ବରୀକୁ ହତ୍ୟା କରା ଯାଇଥିବା ଲେଖଥିଲା। ଏଥିରେ ୫ ଜଣ ସାମିଲ ଥିବା ସେଥିରେ ଲେଖା ହୋଇଥିଲା। ଚିଠି ଆଧାରରେ ଗତ ୨ ତାରିଖରେ ନୂଆପଡ଼ା ଥାନାରେ ଧନିରାମ ପୂଣି ଏକ ଅଭିଯୋଗ କରିଥିଲେ। ଏହାସହ ଆସିଥିବା ଚିଠି ମଧ୍ୟ ଦେଖାଇଥିଲେ। ଏହାପରେ ୫ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚରା କରୁଛି। ଏପରି ନିଖୋଜ ଓ ହତ୍ୟାମାମଲାରେ ତଦନ୍ତ ଚାଲିଛି, ଶୀଘ୍ର ଏନେଇ ସମସ୍ତ କାରଣ ସ୍ପଷ୍ଟ ହେବ ବୋଲି ନୂଆପଡା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.