ଅସହାୟ ନାବାଳିକା ମୁହଁରେ ହସ ଫୁଟାଇଲା ପ୍ରଶାସନ; ନେଲା ପାଠ ପଢ଼ାର ଦାୟିତ୍ୱ

Published By : Prameya-News7 Bureau | September 27, 2022 IST

ମାଲକାନଗିରି ୨୭/୦୯: ବାପା-ମାଆ ଛେଉଣ୍ଡ ଝିଅକୁ ସହାୟ ହେଲା ପ୍ରଶାସନ । ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତ ଏମପିଭି୧ ଗ୍ରାମର ଅସହାୟ ଅବସ୍ଥାରେ ଆଶାକର୍ମୀଙ୍କ ନିକଟରେ ଆଶ୍ରୟ ନେଇଥିବା ନାବାଳିକା ଦୀପା ମଣ୍ଡଳ(୧୬) ମୁହଁରେ ହସଫୁଟିଛି। ତାର ସମସ୍ତ ପଢ଼ାଖର୍ଚ୍ଚ ସହିତ ଦାଇତ୍ୱ ନେବା ପାଇଁ ପ୍ରଶାସନ ଆଗେଇ ଆସିଛି । ଗତ କାଲି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତଦନ୍ତ ପରେ ଆଜି ଦୀପାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରା ଯାଇଛି । ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ ଦୀପାଙ୍କର କାଉସିଲିଂ କରାଯାଇଥିଲା । ସେ ଶିଶୁ ଗୃହରେ ରହି ପାଠ ପଢ଼ିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଥିଲା।

ଦୀପା କଲେଜରେ ପାଠ ପଡ଼ୁଥିବାରୁ ତାଙ୍କର ଅସୁବିଧା ହେବ । ତେଣୁ ସେ କଲେଜ ପାଖରେ ଏମପି ଭି୨୩ ଗ୍ରାମରେ ରହୁଥିବା ତାଙ୍କର ଦୂର ସମ୍ପର୍କୀୟ ପିଉସୀ ଘରେ ରହି ପାଠ ପଢିବା ପାଇଁ କହିଥିଲେ। ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ଦୀପାଙ୍କୁ ତାଙ୍କର ପିଉସୀ ଉର୍ମିଳା ରାୟ ଓ ପିଉସା ବିଶ୍ଵଜିତ ରାୟଙ୍କୁ ଜିମା ଦିଆଯାଇ ତାର ରକ୍ଷଣା ବେକ୍ଷଣ ଦାୟିତ୍ୱ ନେବା ପାଇଁ ପରାମର୍ଶ ଦିଆଯାଇଛି। ପାଠ ପଢା ପାଇଁ ପ୍ରଶାସନ ପକ୍ଷରୁ ପ୍ରତି ମାସ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଦୀପାଙ୍କୁ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.