କାର୍‌ରେ ନାବାଳିକାଙ୍କୁ ଉଠାଇନେଲେ ୨ ଯୁବକ, ନିଛାଟିଆ ଜାଗାରେ କାର୍ ଭିତରେ କଲେ ଗଣଦୁଷ୍କର୍ମ

Published By : Prameya-News7 Bureau | May 17, 2021 IST

କୈମୁର ୧୭।୫: ଲକଡାଉନ୍ ରେ ବିହାରର କୈମୁର ଜିଲ୍ଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଜିଲ୍ଲାର ରାମଗଡ ଥାନା ଅଞ୍ଚଳର ଏକ ଗାଁରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ମେ’ ୧୪ରେ ଯେତେବେଳେ ପୀଡିତା ତାଙ୍କ ବନ୍ଧୁଙ୍କୁ ଭେଟିବାକୁ ଯାଉଥିଲେ, ସେତେବେଳେ କାର୍ ଆସୁଥିବା ଗାଁର ଦୁଇ ଯୁବକ ତାଙ୍କୁ ଅପହରଣ କରି ନେଇଥିଲେ । ଏହାପରେ କାରଟିକୁ ଏକ ନିଛାଟିଆ ସ୍ଥାନରେ ପାର୍କିଂ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହି ମାମଲାରେ ପୀଡିତା, ଅଭିଯୁକ୍ତ ଅନିକେତ ଏବଂ ଧୀରଜ ସିଂଙ୍କ ବିରୋଧରେ ଭଭୁଆରେ ଏଫଆଇଆର ଦେଇଛନ୍ତି ।

ମହିଳା ଥାନାରେ ଦେଇଥିବା ଅଭିଯୋଗରେ ପୀଡିତା କହିଛନ୍ତି ଯେ, ମେ ୧୪ରେ ସେ ତାଙ୍କ ବନ୍ଧୁଙ୍କୁ ଭେଟିବାକୁ ଯାଇଥିଲେ । ଏହି ସମୟରେ କାର୍ ରେ ଦୁଇ ଜଣ ଯୁବକ ଆସି ତାଙ୍କୁ ଜୋରଜବରଦସ୍ତ କାରରେ ବସାଇ ନେଇଯାଇଥିଲେ । କାର୍ କାଚ ବନ୍ଦ ଥିବା ଯୋଗୁଁ ତାଙ୍କ ପାଟି ବାହାରକୁ ଶୁଣାଯାଇନଥିଲା । କାରରେ ହିଁ ଉଭୟ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।

ତାପର ଦିନ ନିଜ ଜୀବନ ବଞ୍ଚାଇ ପୀଡିତା ସେଠାରୁ ଖସି ପଳାଇ ଆସିଥିଲେ । ଘରଲୋକଙ୍କୁ ସବୁ କଥା କହିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବା ଦେଖି ଘରଲୋକ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରିବାର ସଦସ୍ୟ କହିଛନ୍ତି ଯେ ପୀଡିତାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଛି ।

ଏହି ଘଟଣାରେ ଡିଏସପି କହିଛନ୍ତି ରାମଗଡ ଥାନା ଅଞ୍ଚଳରେ ନାବାଳିକାଙ୍କ ସହ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି । ସେ ମଧ୍ୟ ଖୁବ୍ ଶୀଘ୍ର ଗିରଫ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.