ଏକ ଭୟଙ୍କର ଅପହରଣ : ନାବାଳିକାଙ୍କୁ ଅପହରଣ କରି ୩୫ଦିନ ଧରି ଦୁଷ୍କର୍ମ କଲା ଅଭିଯୁକ୍ତ, ନିଶାରେ ଚେଙ୍କିଲା ସିଗାରେଟ୍
22/08/2020 at 3:50 PM

ବାରିପଦା ୨୨।୮: ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ ଅପହରଣ । ଦୀର୍ଘ ୩୫ ଦିନ ଧରି ଭିନ୍ନ ଭିନ୍ନ ସ୍ଥାନରେ ରଖି ମାରପିଟ କରିବା ସହ ବାରମ୍ବାର ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ଅଞ୍ଚଳରେ। ହେଲେ ବଡସାହି ପୋଲିସ କେବଳ ଏତଲା ରଖି ଚୁପ୍ ବସିପଡିଛି ବୋଲି ଅଭିଯୋଗ ମଧ୍ୟ ହୋଇଛି । ନାବାଳିକାଙ୍କ ପରିବାର ଲୋକ ବାରମ୍ବାର ଥାନାକୁ ଆସିବାରୁ ପୋଲିସଠାରୁ ନ୍ୟାୟ ବଦଳରେ ଧମକ ଓ ଦୁର୍ବ୍ୟବହାର ପାଇଥିବା ଅଭିଯୋଗ ମଧ୍ୟ କରିଛନ୍ତି ।
ଗତ ମାସ ୧୭ ତାରିଖରେ ବଡସାହି ବ୍ଲକ ଅନ୍ତର୍ଗତ ଅର୍ଜୁନବାଡିଆର ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିଲା ସେହି ଗାଁର ଜଣେ ଯୁବକ । ଅଭିଯୁକ୍ତ ଯୁବକର ନାମ ରମାକାନ୍ତ । ବାପା-ମା’ ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ନାବାଳିକା ଜଣଙ୍କ ଘରେ ଏକା ଥିଲେ। ଏହାର ସୁଯୋଗ ନେଇ ରମାକାନ୍ତ ନାବାଳିକାଙ୍କ ଘରକୁ ଆସି ମା’ଙ୍କ ଦେହ ଖରାପ ହୋଇଛି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି କହି ନାବାଳିକାଙ୍କୁ ସାଙ୍ଗରେ ନେଇ ଯାଇଥିଲେ । କିନ୍ତୁ ଡାକ୍ତରଖାନା ନନେଇ ରମାକାନ୍ତ ନାବାଳିକାଙ୍କୁ ଏକ ଅଜଣା ସ୍ଥାନରେ ରଖି ନିଶାଗ୍ରସ୍ତ ଅବସ୍ଥାରେ ବାରମ୍ବାର ଦୁଷ୍କର୍ମ କରିବା ସହିତ ନାବାଳିକାଙ୍କ ଦେହରେ ସିଗାରେଟ୍ ଚେଙ୍କ ଦେବାଭଳି ଅମାନବୀୟ କାଣ୍ଡ କରିଥିଲେ। ଶେଷରେ ଗୁରୁବାର ଯୁବକ ଜଣଙ୍କ ନବାଳିକାଙ୍କୁ ତାଙ୍କ ଘର ନିକଟ ଜଙ୍ଗଲରେ ଛାଡି ପଲାଇଥିଲେ ବୋଲି ନାବାଳିକାଙ୍କ ମା’ କାନ୍ଦିକାନ୍ଦି କହିଛନ୍ତି।
ଆହୁରି ସଙ୍ଗୀନ ହେଲା ପୋଲିସ ବିରୋଧରେ ନିଷ୍କ୍ରିୟତା ଅଭିଯୋଗ ହୋଇଛି । ନାବାଳିକା ଅପହରଣ ମାମଲାରେ ବଡସାହି ଥାନାରୁ କୌଣସି ନ୍ୟାୟ ନ ପାଇ ଶୁକ୍ରବାର ଅପରାହ୍ନରେ ପିଡୀତାଙ୍କ ପରିବାର ଲୋକେ ମୟୁରଭଞ୍ଜ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦୁଷ୍କର୍ମକାରୀ ଯୁବକ ଜଣଙ୍କର ବଡସାହି ପୋଲିସ ସହିତ ଭଲ ସମ୍ପର୍କ ଥିବାରୁ ଜାଣିଶୁଣି ପୋଲିସ ଅଭିଯୁକ୍ତକୁ ୩୫ ଦିନ ଧରି ଧରିବାକୁ ଚେଷ୍ଟା କରି ନଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି।
ତେବେ ଏନେଇ ବଡସାହି ଥାନା ଅଧିକାରୀଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ମୟୁରଭଞ୍ଜ ଏସପି ଶୁକ୍ରବାର ଜିଲ୍ଲାରେ ଅନୁପସ୍ଥିତ ଥିବାରୁ ପିଡୀତାଙ୍କ ପରିବାର ସନ୍ଧ୍ୟାରେ ବେତନଟୀ ଏସଡିପିଓଙ୍କ ପାଖରେ ନ୍ୟାୟ ଲାଗି ଗୁହାରି କରିଛନ୍ତି।