ଫୋରେନ୍‌ସିକ୍ ଲ୍ୟାବ୍ ଗଲା ନାବାଳିକାଙ୍କ ମୃତ ଶରୀରର ନମୂନା, ଏବେ ବି ଅସ୍ପଷ୍ଟ ମୃତ୍ୟୁର କାରଣ

Published By : Prameya-News7 Bureau | August 14, 2023 IST

ବାରଙ୍ଗ ୧୪।୮: ଭୁବନେଶ୍ବର ନନ୍ଦନବିହାରରୁ ମିଳିଥିବା ନାବାଳିକାଙ୍କ ମୃତ ଶରୀରର ନମୂନା ଫୋରେନ୍‌ସିକ୍ ଲ୍ୟାବ୍ ପଠାଯାଇଛି । ମୃତଦେହଟି ପଚି ସଢି ଯାଇଥିବାରୁ ମୃତ୍ୟୁର କାରଣ ଜଣାପଡୁନାହିଁ । ମାମଲାର ଗମ୍ଭୀରତା ଦେଖି ଚାଇଲ୍ଡ ଲାଇନର କର୍ମକର୍ତ୍ତା ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ନାବାଳିକାଙ୍କ ପରିଚୟ ମିଳିଥିଲେ ମଧ୍ୟ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନି ।

ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖରେ ନନ୍ଦନବିହାର ହଉସିଂ ବୋର୍ଡ କଲୋନୀର ପ୍ଲଟ୍ ନମ୍ବର ୧୨୧ ପଛ ପଟେ ପଡ଼ି ରହିଥିବା ମୃତଦେହର ସସ୍‌ପେନ୍ସ ଧୀରେ ଧୀରେ ବଢିବାର ଲାଗିଛି । ରବିବାର ପୋଲିସ ଉପସ୍ଥିତିରେ ନାବାଳିକାଙ୍କର ଅନ୍ତ୍ୟଷ୍ଟିକ୍ରିୟା ସରିଛି । ସେପଟେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ଯାଇଥିବା ମୃତଦେହ ଅଧିକ ପଚିସଢି ଯାଇଥିବାରୁ ମୃତ୍ୟୁର ସଠିକ୍ କାରଣ ଖୋଜିବାରେ ଡାକ୍ତର ଅସମର୍ଥ ହୋଇଛନ୍ତି । ତେବେ ନାବାଳିକାକୁ କେହି ବିଷଧର ଜନ୍ତୁ କାମୁଡ଼ିଛି ନା କେହି ବିଷ ଦେଇଛି ନା କେହି ଦୁଷ୍କର୍ମ କରି ହତ୍ୟା କରିଛି ତାହା ଏବେ ସନ୍ଦେହ ସୃଷ୍ଟି କରିଛି । ଡାକ୍ତରଙ୍କ ପରାମର୍ଶରେ ନାବାଳିକାଙ୍କ ନଖ, ଡ୍ରେସ୍, ଚୁଟି ଏବଂ ସ୍କିନ୍‌କୁ ଫୋରେନସିକ୍ ଲ୍ୟାବ୍ ପଠାଇଛି କମିଶନରେଟ୍ ପୋଲିସ ।

ପରିବାର ଓ ସ୍ଥାନୀୟ ଲୋକେ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଘଟଣାର ଗମ୍ଭୀରତା ଦେଖି ଚାଇଲ୍ଡ ଲାଇନ୍ ର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ନିଜେ ତଦନ୍ତ କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବ ବୋଲି ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକ ଡକ୍ଟର ବେଣୁଧର ସେନାପତି କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/mother-and-son-case-in-telkoi-of-keunjhar-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mother-and-son-case-in-telkoi-of-keunjhar-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.