ପ୍ରେମ ହେଲା କାଳ : ପ୍ରେମିକକୁ ବାପା-ମାଆଙ୍କ ହତ୍ୟାର ସୁପାରୀ ଦେଲା ନାବାଳିକା ଝିଅ

Published By : Prameya-News7 Bureau | December 18, 2020 IST

ଇନ୍ଦୋର ୧୮/୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଡବଲ୍ ମର୍ଡ଼ର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ୍। ଋକ୍ମଣୀ ନଗରରେ ରହୁଥିବା ଏସଏଏଫରେ ଡ୍ରାଇଭର ଥିବା ଜ୍ୟୋତି ପ୍ରସାଦ ଶର୍ମା ଏବଂ ତାଙ୍କ ପତ୍ନୀ ନୀଲମଙ୍କୁ ତାଙ୍କ ନିଜ ନାବାଳିକା ଝିଅ ଏବଂ ବୟଫ୍ରେଣ୍ଡ ଷଡ଼ଯନ୍ତ୍ର କରି ହତ୍ୟା କରି ଦେଇଛନ୍ତି। ଅଭିଯୁକ୍ତ ଝିଅର ବୟସ ୧୭ବର୍ଷ ଏବଂ ସେ ଏକାଦଶ ଶ୍ରେଣୀରେ ପଢ଼େ। ତା ବୟଫ୍ରେଣ୍ଡର ନାଁ ଧନଞ୍ଜୟ ଯାଦବ। ଉଭୟଙ୍କୁ ଗୁରୁବାର ବିଳମ୍ବିତ ରାତିରେ ରତଲାମ ନିକଟରୁ ଗିରଫ କରାଯାଇଛି। ପୋଲିସର କହିବା ଅନୁସାରେ,ଏହି ହତ୍ୟା ସକାଳ ପାଖାପାଖି ୫ଟାବେଳେ ହୋଇଛି ,ଯେଉଁଥିରେ ଧାରୁଆ ଅସ୍ତ୍ରର ବ୍ୟବହାର କରାଯାଇଛି।

ପୋଲିସର କହିବା ଅନୁସାରେ,ସକାଳେ ଯେତେବେଳେ ହତ୍ୟାକାଣ୍ଡ ଘଟିଥିଲା,ସେତେବେଳେ ଅଭିଯୁକ୍ତ ନାବାଳିକା ଝିଅ କୁକୁରକୁ ବାହାରେ ବୁଲାଉଥିଲା। ଏହି ସମୟରେ ଯେତେବେଳେ ଘରୁ ଶବ୍ଦ ଶୁଣାଯାଇଥିଲା ସେତେବେଳେ ଜେଜେବାପା ଜେଜେମାଆ ଏବଂ ପଡ଼ୋଶୀ ଉଠି ଯାଇଥିଲେ। ପଡ଼ୋଶୀମାନେ ପଚାରିବାରୁ ଝିଅ କହିଥିଲା ଯେ ବାପା ନିଶା ସେବନ କରି ମାଆଙ୍କ ସହ ଝଗଡ଼ା କରୁଛନ୍ତି। ଏହା ଶୁଣି ସମସ୍ତେ ଚାଲି ଯାଇଥିଲେ।

ସକାଳ ୮ଟାବେଳେ ଜେଜେମାଆ-ଜେଜେବାପାଙ୍କ ସହ ଶୋଇଥିବା ପୁଅ ଝରକାବାଟେ ବାପା ମାଆଙ୍କ ରକ୍ତାକ୍ତ ଶବ ଦେଖିଥିଲା। ସେ କବାଟ ଭାଙ୍ଗି ଦେଇଥିଲା। ସୂଚନା ଅନୁଯାୟୀ ଧନଞ୍ଜୟ ଗାନ୍ଧୀ ନଗରର ପୂର୍ବତନ ସରପଞ୍ଚଙ୍କ ପୁଅ। ତାଙ୍କୁ କିଛି ଦିନ ତଳେ ଜ୍ୟୋତି ଚାପୁଡ଼ା ମାରିଥିଲେ। ସେହି ସମୟରେ ଧନଞ୍ଜୟ ତାଙ୍କୁ ଧମକ ଦେଇଥିଲା। ହତ୍ୟା ଯୋଜନା ପୂର୍ବରୁ କରାଯାଇଥିଲା। ଘରେ ସିସିଟିଭି ଲାଗିଥିଲା। ଯାହାକୁ ବନ୍ଦ କରି ଦିଆଯାଇଥିଲା। ହତ୍ୟା ପରଠୁ ଝିଅର ମୋବାଇଲ୍ ବନ୍ଦ ଥିଲା।

ମୃତକଙ୍କ ଝିଅଙ୍କ ଏକ ଚିଠି ମିଳିବା ପରେ ପୋଲିସର ସମସ୍ୟା ଆହୁରି ବଢ଼ିଯାଇଥିଲା। ସେହି ପତ୍ରରେ ଲେଖାଯାଇଥିଲା ଯେ ତାଙ୍କ ବାପା ତାଙ୍କୁ ନିର୍ଯାତନା ଦେଉଥିଲେ ଏବଂ ମାଆ ଏଥିରେ ତାଙ୍କୁ ସାହାଯ୍ୟ କରୁଥିଲେ। ଏହି କାରଣ ଯୋଗୁଁ ସେ ଘର ଛାଡ଼ି ଯାଉଛନ୍ତି ଏବଂ ତାଙ୍କୁ ନ ଖୋଜାଯାଉ। ଏହା ପରଠୁ ପୋଲିସକୁ ତାଙ୍କ ଉପରେ ସନ୍ଦେହ ହୋଇଥିଲା। ପରିବାର ଲୋକଙ୍କୁ ପଚରାଉଚୁରା କରିବା ପରେ ପୋଲିସ୍ ଜାଣିବାକୁ ପାଇଥିଲା ଯେ ଧନଞ୍ଜୟ ନାମକ ଯୁବକ ସହ ତାଙ୍କ ପ୍ରେମ ସମ୍ପର୍କ ରହିଛି। ଉଭୟଙ୍କୁ ପୋଲିସ୍ ରତଲାମରୁ ଗିରଫ କରିଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.