ବିଲରୁ ଘରକୁ ଫେରୁଥିବା ବେଳେ ଜଳକା ନଦୀରେ ଭାସିଗଲା ନାବାଳକ, ଉଦ୍ଧାର କାର୍ଯ୍ୟ ଜାରି
22/08/2022 at 5:20 PM

ଜଳେଶ୍ୱର, ୨୨/୦୮: ବିଲରୁ ଘରକୁ ଫେରୁଥିଲା ବେଳେ ଜଳକା ନଦୀର ଶାଖା ନଦୀ ଵନ୍ୟପାଣିରେ ଭାସିଗଲେ ନାବାଳକ । ODRAF ଟିମ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଂଚଳରେ ଜଳକା ନଦୀର ବନ୍ୟା ଦେଖାଦେଇଛି । ଆଜି ଅପରାହ୍ନ ପାଖାପାଖି ଦିନ ୧ଟା ସମୟରେ ପଳାସିଆ ଗ୍ରାମର ରାଧାଶ୍ୟାମ ମହାପାତ୍ରଙ୍କର ୧୩ବର୍ଷର ପୁଅ ଜନ୍ମେଜୟ ମହାପାତ୍ର ବିଲରୁ ଘରକୁ ଫେରୁଥିଲା । ଏହି ସମୟରେ ଗ୍ରାମ ପାଖଦେଇ ପ୍ରବାହିତ ହୋଇଥିବା ଜଳକା ନଦୀର ଶାଖା ନଦୀର ବନ୍ଧରେ ଅତଡା ଖସିଯିବାରୁ ତାର ଗୋଡ଼ ଖସିଯାଇଥିଲା । ଫଳରେ ବନ୍ୟା ପାଣିର ପ୍ରଖର ସୁଅରେ ପଡି ଯାଇ ଜନ୍ମେଜୟ ଭାସି ଯାଇଥିବା ଜଣାପଡ଼ିଛି ।
ଖବର ପାଇ ବ୍ଲକରେ ଥିବା ODRFର ୪ ଟି ଟିମ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା ବେଳେ ଘଟଣା ସ୍ଥଳରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବସ୍ତା ତହସିଲଦାର, ବ୍ଲକ ବିଡ଼ିଓ, ବସ୍ତା ଅଗ୍ନିଶମ ଟିମ, ବସ୍ତା ପୋଲିସ ଓ ବିଭିନ୍ନ ଦଳର ନେତୃମଣ୍ଡଳୀ ପହଁଚି ସ୍ଥିତି ଅନୁଧ୍ୟାନ କରୁଥିବାର ଦେଖିବାକୁ ମିଳିଛି ।