ନାଗୌର ୧୫।୧୨: ରାଜସ୍ଥାନ ନାଗୌର ଜିଲ୍ଲାରେ ଜଣେ ନାବାଳିକା ଶିଶୁ ଜନ୍ମ ଦେବା ପରେ ଭାଇଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ । ରବିବାର ନାବାଳିକା ଜଣଙ୍କ ଶିଶୁକୁ ଜନ୍ମ ଦେଇଥିଲେ । ତେବେ ସୋମବାର ଦିନ ଘଟଣା ସାମ୍ନାକୁ ଆସିବା ପରେ ନାବାଳିକାଙ୍କ ଭାଇଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ ଯେ, ୧୪ ବର୍ଷର ନାବାଳିକା ଅବିବାହିତ ହୋଇ ମଧ୍ୟ ସନ୍ତାନ ପ୍ରସବ କରିଛନ୍ତି । ନାବାଳିକା ଏବଂ ତାଙ୍କ ପରିବାର ଆଜମେର ଜାନା ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ଡାକ୍ତର ତାଙ୍କ ସନ୍ତାନକୁ ସୁରକ୍ଷିତ ଭାବେ ପ୍ରସବ କରାଇଥିଲେ । ଏହାପରେ ଜଣାପଡିଥିଲା ଯେ ସେ ଜଣେ ନାବାଳିକା ।
ତାଙ୍କ ପରିବାରର ବୟାନ ଆଧାରରେ ନାବାଳିକାଙ୍କ ଭାଇ ଏବଂ ଅନ୍ୟ ୩ ଜଣଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗରେ ମାମଲା ରୁଜୁ ହୋଇଛି । ପୋଲିସର କହିବା ଅନୁସାରେ ତାଙ୍କ ପରିବାର ଲୋକ ସ୍ବୀକାର କରିଛନ୍ତି ଯେ, ନାବାଳିକାଙ୍କ ଭାଇ ଏବଂ ଗାଁର ଅନ୍ୟ ୩ ଜଣ ତାଙ୍କ ସହ ଅନେକ ଥର ଦୁଷ୍କର୍ମ କରିଛନ୍ତି ।