ବତକ ହଜିଗଲା ବୋଲି ନାବାଳକଙ୍କୁ ପାଣିରେ ବୁଡାଇଲା ମାଲିକ, ଚେତାଶୂନ୍ୟ ଅବସ୍ଥାରେ ବିଷ ପିଆଇଥିବା ଅଭିଯୋଗ

Published By : Prameya-News7 Bureau | December 07, 2020 IST

ଭଦ୍ରକ ୭।୧୨: ଫାର୍ମ ହାଉସରେ କାମ କରୁଥିଲେ ନାବାଳାଳ । ଫାର୍ମ ହାଉସରୁ ଗୋଟିଏ ବତକ ହଜିଗଲା । ସେଇଠୁ ଆରମ୍ଭ ହେଲା ମାଲିକଙ୍କ ଅକଥନୀୟ ନିର୍ଯାତନା । ନାବାଳକଙ୍କୁ ଗାଡିଆକୁ ଫିଙ୍ଗି ଦେଲେ ମାଲିକ । ପରେ ପାଣିରୁ ଉଠାଇ ନାବାଳକଙ୍କର ଚେତା ନଥିବା ଦେଖିଥିଲେ । ପରେ ବିଷ ପିଆଇ ଦେଇଥିବା ସନ୍ଦେହ । ଏବେ ଗୁରୁତର ଅବସ୍ଥାରେ ଆଇସିୟୁରେ ଜୀବନ ମରଣ ସହ ସଂଘର୍ଷ କରୁଛି ୯ ବର୍ଷର ଶିଶୁ ସୁଶାନ୍ତ ଜେନା । ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅମାନବୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବନ୍ତ ଥାନା ବରପଦି ଗାଁର ରବୀନ୍ଦ୍ର ନାୟକଙ୍କ ଘରେ ସୁଶାନ୍ତ କାମ କରୁଥିଲେ  । ସେ ତାଙ୍କ ଫାର୍ମ ହାଉସରେ ମଧ୍ୟ କେଉଁଝର ଜିଲ୍ଲାର ୯ ବର୍ଷ ବୟସ୍କ ସୁଶାନ୍ତ ଜେନାଙ୍କୁ କାମ କରାଉଥିଲେ । ସେହି ଫାର୍ମ ହାଉସର ଗୋଟିଏ ବତକ ହଜି ଯାଇଥିଲା । ବତକ ହଜି ଯିବାକୁ ନେଇ ସୁଶାନ୍ତଙ୍କୁ ମାଲିକ ରବୀନ୍ଦ୍ର ମଦ୍ୟପାନ କରି ପୋଖରୀକୁ ଫିଙ୍ଗି ଦେଇଥିଲେ । ପରେ ସୁଶାନ୍ତର ଚେତା ନଆସିବାରୁ ତାଙ୍କୁ ଘରକୁ ନେଇ ବିଷ ପିଆଇ ଦେଇଥିଲେ । ଗୁରୁତର ହେବାରୁ ବନ୍ତ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ଅଛନ୍ତି । ଅଭିଯୁକ୍ତ ମାଲିକ ମଧ୍ୟ ନାବାଳକ ନିକଟରେ ରହିଛନ୍ତି ।

ତେବେ ଚାଇଲ୍ଡ ଲାଇନ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଛି । ଅଭିଯୁକ୍ତ କିମ୍ବା ପରିବାର ଲୋକଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ । ଚାଇଲ୍ଡ ଲାଇନ ସଦସ୍ୟଙ୍କ ଟିମ୍ ଅଭିଯୁକ୍ତଙ୍କ ଗାଁକୁ ତଦନ୍ତ ପାଇଁ ଯାଇଥିଲେ ମଧ୍ୟ ତାଙ୍କୁ ସହଯୋଗ କରିନାହାନ୍ତି । ଗ୍ରାମବାସୀମାନେ ମଧ୍ୟ ପ୍ରତ୍ୟକ୍ଷ ଭାବେ କିଛି କହିନଥିବା ବେଳେ ପରୋକ୍ଷରେ ଚାଇଲ୍ଡ ଲାଇନକୁ କିଛି କହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.