ହଜିଗଲା ମାନବିକତା : ଶବକୁ ମିଳିଲାନି ଚାରି କାନ୍ଧ : ମା’ର ଶବକୁ ସାଇକେଲରେ ବୋହିଲା ନାବାଳକ ପୁଅ
16/01/2019 at 5:53 PM

ସୁନ୍ଦରଗଡ଼ ୧୬/୧: ଆଜିକାଲି ମାନବିକତା ହଜିଯାଇଥିବା ଦେଖାଗଲାଣି। ମା’ର ଶବକୁ ଚାରି କାନ୍ଧ ଦେବାକୁ କେହି ମିଳିଲେନି। ଶେଷରେ ନାବାଳକ ପୁଅ ମାଆର ଶବକୁ ସାଇକେଲରେ ବାନ୍ଧି ଏକ କିଲୋମିଟରରୁ ଅଧିକ ରାସ୍ତା ଚାଲିଚାଲି ଗଲା। ମୃତ ମା’ର ମାମୁଁଙ୍କ ସହାୟତାରେ ମା’କୁ ପୋତିଲା ପୁଅ। ଶବକୁ ବୋହିବାକୁ ମଧ୍ୟ ଗାଁ ଲୋକେ ଆସିଲେନି ।
ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବନହରପାଲି ଥାନା ଅନ୍ତର୍ଗତ କରପାବାହାଲ ଗାଁ ରେ। ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଳକର ଲିପସପାଲିରେ ରହୁଥିବା ଜାନକୀ ସେନ୍ଦ୍ରିଆଙ୍କ ସ୍ୱାମୀ ଦେଢ଼ବର୍ଷ ତଳେ ମୃତ୍ୟୁବରଣ କରିବା ପରେ ସେ ନିଜ ମାମୁଁଘର କରପାବାହାଲରେ ନିଜ ପୁଅ ସହ ଆସି ରହୁଥିଲେ। ଆଜି ସକାଳୁ ଜାନକୀ ଗାଁରେ ନଳକୂପକୁ ପାଣି ଆଣିବାକୁ ଯାଇଥିବାବେଳେ ଅଚାନକ ପଡିଯାଇ ପ୍ରାଣ ହରାଇଥିଲେ। ସେହି ଗାଁର ବାସିନ୍ଦା ହୋଇନଥିବାରୁ ଜାନକୀଙ୍କ ଶବକୁ ସତ୍କାର ପାଇଁ କେହି ଆସିନଥିବା ଜଣାପଡ଼ିଛି। କିନ୍ତୁ ସେହି ଗାଁର ଲୋକେ ଜାନକୀଙ୍କ ମୃତ୍ୟୁ ବିଷୟରେ ଜାଣି ନଥିବା କହିଛନ୍ତି।