ଶକ୍ତିଶାଳୀ ହେବ ଭାରତୀୟ ନୌସେନା: ୬ଟି ଆଡ୍‌ଭାନ୍ସ ସବମରିନ୍‌ ନିର୍ମାଣ ପାଇଁ ୫୦ ହଜାର କୋଟିର ପ୍ରକଳ୍ପକୁ ମଞ୍ଜୁରୀ ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ

Published By : Prameya-News7 Bureau | June 04, 2021 IST

ନୂଆଦିଲ୍ଲୀ ୦୪/୦୬ : ଦେଶର ସୁରକ୍ଷା ପ୍ରତି ଯେପରି କୌଣସି ସାଲିସ୍‌ ନହେଉ ସେଥିପାଇଁ ସ୍ଥଳସେନା, ନୌସେନା ଓ ବାୟୁସେନାକୁ ଶକ୍ତିଶାଳୀ କରିବାକୁ ଭାରତ ସରକାର ପ୍ରତିବଦ୍ଧ । ଭାରତ ସରକାର ପ୍ରତିରକ୍ଷା ଉପକରଣଗୁଡିକର ସ୍ୱଦେଶୀକରଣ କରି ସୁରକ୍ଷା ବ୍ୟବସ୍ଥା ଆହୁରି ମଜଭୁତ କରିବାକୁ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ବଡ ନିଷ୍ପତ୍ତି ନେଇଛି । ନୌସେନାର ଶକ୍ତି ବୃଦ୍ଧି କରିବାକୁ ଶୁକ୍ରବାର ଦିନ ପ୍ରୋଜେକ୍ଟ ୭୫-ଇଣ୍ଡିଆ ଅନୁଯାୟୀ ୬ଟି ସବମରିନ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛି ।

ଏହି ପ୍ରୋଜେକ୍ଟ ବହୁ ଦିନରୁ ଅଟକି ରହିଥିଲା । ଭାରତ ସରକାର ଶକ୍ତି ବଢାଇବାକୁ ନୌସେନା ପାଇଁ ୬ଟି ଆଡ଼ଭାନ୍ସ ସବମରିନ ନିର୍ମାଣ ପାଇଁ ଖୁବ ଶୀଘ୍ର ପ୍ରସ୍ତାବ ଅନୁରୋଧ ଜାରି କରିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଭାରତୀୟ ନୌସେନା ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ଡିଫେନ୍ସ ଆକ୍ବିଜିସନ କାଉନସିଲ ମଞ୍ଜୁରୀ ଦେଇଛି । ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫୦ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି ।

ଏହି ପ୍ରକଳ୍ପକୁ ସ୍ବଦେଶୀ କମ୍ପାନୀ ମଝଗାଓଁ ଡକ୍ସ ଓ ଏଲ ଆଣ୍ଡ ଟିକୁ ଦିଆଯାଇଛି । ଏହି ଦୁଇ କମ୍ପାନୀ ଯେକୌଣସି ବିଦେଶୀ ସିପୟାର୍ଡ଼ ସହ ମିଶି ଏହି ପ୍ରୋଜେକ୍ଟର ପୁରା ତଥ୍ୟ ହସ୍ତାନ୍ତର କରିବେ ଓ ଟେଣ୍ଡର ପକାଇବେ ।ସୂଚନାଯୋଗ୍ୟ ଯେ ଭାରତୀୟ ନୌସେନାରେ ୪ ଦଶକ ଯାଏଁ ସେବା କରିବା ପରେ ଯୁଦ୍ଧପୋତ ସଂଧ୍ୟାକ ଶୁକ୍ରବାର ଦିନ ଅବସର ନେଉଛି । ସଂଧ୍ୟାକ ୪୦ ବର୍ଷ ଯାଏଁ ଦେଶର ସେବା କରିଛି । ଏହାର ପରିକଳ୍ପନା ପୂର୍ବତନ ରିୟର ଆଡମିରାଲ ଏଫ ଏଲ ଫ୍ରେଜର କରିଥିଲେ । ସଂଧ୍ୟାକ ନିର୍ମାଣ ୧୯୭୮ ରେ ଆରମ୍ଭ ହୋଇଥିଲା । ୧୯୮୨ ଫେବୃଆରୀ ୨୬ ତାରିଖରେ ଏହାକୁ ନୌସେନାରେ ସାମିଲ କରାଯାଇଥିଲା ।

ପ୍ରୋଜେକ୍ଟ ୭୫ ଇଣ୍ଡିଆ କଣ ?
ଭାରତୀୟ ନୌସେନା ଜଳଭାଗରେ ନିଜର ଶକ୍ତି ଆହୁରି ମଜବୁତ କରିବାକୁ ଏହି ପ୍ରୋଜେକ୍ଟ ଆରମ୍ଭ କରିଛି । ଏହି ପ୍ରୋଜେକ୍ଟ ଅନୁଯାୟୀ ୬ଟି ବଡ ସବମରିନ ନିର୍ମାଣ କରାଯିବ ଯାହା ଡିଜେଲ ଓ ଇଲେକ୍ଟ୍ରିରେ ଚାଲିବ । ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ଏହି ସବୁ ସବମରିନ ନିର୍ମାଣ କରାଯିବ । ଏଥିରେ ଆଣ୍ଟି ସିପ କ୍ରୁଜ ମିସାଇଲ ସହ ୧୨ଟି ଲ୍ୟାଣ୍ଡ ଆଟକ କ୍ରୁଜ ମିସାଇଲ ମଧ୍ୟ ଖଞ୍ଜାଯିବ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.