ଆଦିବାସୀଙ୍କ ୪ହଜାର କୋଟି ଟଙ୍କା ଖର୍ଚ୍ଚ କରିନାହାନ୍ତି ଓଡିଶା ସରକାର ବୋଲି କହିଲେ ପ୍ରଧାନମନ୍ତ୍ରୀ, କାଉଣ୍ଟର କଲେ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ

Published By : Prameya-News7 Bureau | January 15, 2019 IST

ଭୁବନେଶ୍ବର ୧୫|୧: ଦିନିକିଆ ବଲାଙ୍ଗିର ଗସ୍ତରେଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଠା ସ୍ବରରେ ରାଜ୍ୟ ସରକାରଙ୍କୁ କଡା କଟାକ୍ଷ କରିଛନ୍ତି । ରାଜ୍ୟ ସରକାର ଆଦିବାସୀଙ୍କ ପାଇଁ କିଛି କରୁନାହାନ୍ତି ବୋଲି କହିଛନ୍ତି । ବଲାଙ୍ଗିର ପଥରଚେପାରେ ଜବାବ ମାଗୁଛି ଓଡିଶା ସମାବେଶରେ ଉଦବୋଧନ ଦେବାବେଳେ କେନ୍ଦ୍ର ଦେଉଥିବା ଅର୍ଥ ଆଦିବାସୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ ହେଉନଥିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାର ଆଦିବାସୀଙ୍କ ପାଇଁ ଦେଉଥିବା ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରନ୍ତୁ । ଅର୍ଥ ଖର୍ଚ୍ଚ କରିବାକୁ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ ବୋଲି ମୋଦି କହିଛନ୍ତି । ଆଦିବାସୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ୪ହଜାର କୋଟି ଟଙ୍କା ଦେଇଛନ୍ତି । ହେଲେ ରାଜ୍ୟ ସରକାର ସେହି ଅର୍ଥକୁ ଖର୍ଚ୍ଚ କରିପାରୁନାହାନ୍ତି । ନିର୍ବାଚନ ଶେଷ ହୋଇଯିବ ହେଲେ ରାଜ୍ୟର ଆଦିବାସୀଙ୍କ ସମସ୍ୟା ଦୂର ହେବନାହିଁ ବୋଲି ମୋଦି କହିଛନ୍ତି ।

ରାଜ୍ୟ  ତେବେ ଏହାର ଜବାବ ଦେଇଛନ୍ତି ରାଜ୍ୟ ଆଦିବାସୀ କଲ୍ୟାଣ ଓ ସଂଖ୍ୟାଲଘୁ ମନ୍ତ୍ରୀ ରମେଶ ମାଝି । ଆଦିବାସୀ ଉନ୍ନୟନ ପାଇଁ ୨୦୧୩-୧୪ ଆର୍ଥିକ ବର୍ଷରୁ କେନ୍ଦ୍ରୀୟ ଅନୁଦାନ କମି କମି ଯାଉଛି । ରାଜ୍ୟ ସରକାର ନିଜସ୍ବ ଅର୍ଥରୁ ଆଦିବାସୀ କଲ୍ୟାଣ ଯୋଜନା ପାଇଁ ଖର୍ଚ୍ଚ କରୁଛନ୍ତି । ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି ତାହା ଠିକ୍ ନୁହେଁ । ଅନୁସୂଚିତ ଜନଜାତି ପିଲାଙ୍କ ପାଇଁ ଷ୍ଟାଇପେଣ୍ଡ ଅର୍ଥ ବନ୍ଦ ହେବାକୁ ବସିଲାଣି । ପ୍ରଥମେ ଅର୍ଥ ଦିଅନ୍ତୁ ପରେ ଖର୍ଚ୍ଚ କଥା ପଚାରିବେ ବୋଲି ମନ୍ତ୍ରୀ ରମେଶ ମାଝି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.