ଭୁବନେଶ୍ବର ୨୬।୦୨: ରାୟଗଡ଼ାରେ ସର୍ବାଧିକ ପିଲା ଅଧାରୁ ପାଠ ଛାଡ଼ୁଛନ୍ତି । ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ଡ୍ରପ୍ଆଉଟ୍ ହାର ୫ ଦଶମିକ୍ ୪୨ ପ୍ରତିଶତ ଥିବା ବେଳେ ଏଥିରେ ସବୁଠୁ ଆଗରେ ରହିଛି ରାୟଗଡ଼ା ଜିଲ୍ଲା । ପ୍ରାଥମିକ ଶିକ୍ଷାସ୍ତରରେ ରାୟଗଡ଼ାରେ ୧୧ ଦଶମିକ୍ ୬୭ ପ୍ରତିଶତ, କେନ୍ଦ୍ରାପଡ଼ାରେ ୮ ଦଶମିକ୍ ୯୩ ପ୍ରତିଶତ ଏବଂ କଳାହାଣ୍ଡିରେ ୮ ଦଶମିକ୍ ୪୬ ପ୍ରତିଶତ ରହିଛି ଡ୍ରପ୍ ଆଉଟ୍ ହାର । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ସେହିଭଳି ଉଚ୍ଚ ପ୍ରାଥମିକ ସ୍ତରରେ ରାୟଗଡ଼ାରେ ସର୍ବାଧିକ ୧୭ ଦଶମିକ୍ ୧୦ ପ୍ରତିଶତ ପିଲା ଅଧାରୁ ପାଠ ଛାଡ଼ୁଥିବା ବେଳେ ମାଲକାନଗିରିରେ ୧୩.୭୮ ଓ ଯାଜପୁରରେ ୧୨.୬୩ ପ୍ରତିଶତ ପିଲା ଅଧାରୁ ପାଠ ଛାଡ଼ୁଛନ୍ତି । ସେପଟେ ମାଧ୍ୟମିକ ସ୍ତରରେ ପୁରୀ ଜିଲ୍ଲାର ହାର ସର୍ବାଧିକ ରହିଛି । ପୁରୀରେ ୧୦ ଦଶମିକ ୫ ପ୍ରତିଶତ ପିଲା ଅଧାରୁ ପାଠ ଛାଡ଼ୁଥିବା ବେଳେ ବାଲେଶ୍ବରରେ ୮ ଦଶମିକ ୭୩ ଓ ସମ୍ବଲପୁରରେ ୮.୧୬ ରହିଛି ଡ୍ରପ୍ ଆଉଟ୍ ହାର ।