ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ASI ଗୋପାଳ ଦାସ ଚାକିରିରୁ ବହିଷ୍କୃତ
30/01/2023 at 7:08 PM

ଭୁବନେଶ୍ଵର: ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ଚାକିରିରୁ ବହିଷ୍କୃତ। ଝାରସୁଗୁଡା ଏସପି ସୋମବାର ଗୋପାଳଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଏହି ଆଦେଶନାମା ଆଜିଠୁ ଲାଗୁ ହୋଇଛି। ଏହା ପୂର୍ବରୁ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ତାଙ୍କୁ ଝାରସୁଗୁଡା କୋର୍ଟରେ ହାଜର କରାଯାଇ ସାତ ଦିନିଆ ରିମାଣ୍ଡ ଅବଧି ଆବେଦନ କରିବ କ୍ରାଇମବ୍ରାଞ୍ଚ।
ଅଭିଯୁକ୍ତ ଗୋପାଳ ବିରୁଦ୍ଧରେ ୩୦୨ ଦଫା ଏବଂ ୨୭(୧) ଆର୍ମସ ଆକ୍ଟ ଅନୁସାରେ ମାମଲା ରୁଜ୍ଜୁ କରିଛି ଭିଜିଲାନ୍ସ। ଗୋପଳ ନିକଟରୁ ୯ ଏମ ଏମ ପିସ୍ତଲ ଏବଂ ୩ ଟି ଜୀବନ୍ତ ଗୁଳି ଜବତ ହୋଇଛି। ଫରେନ୍ସିକ ଯାଞ୍ଚ ପାଇଁ ଜବତ ସାମଗ୍ରୀ ପଠାଇଛି କ୍ରାଇମବ୍ରାଞ୍ଚ।
କାହିଁକି ସେ ମନ୍ତ୍ରୀଙ୍କୁ ଗୁଳି କଲେ ଏବଂ ଏହା ପଛରେ ଆଉ କାହାର ରହିଛି ଏସବୁ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି। ତେତେ ଗୋପାଳ ନବ ଦାସଙ୍କ ପିଏସଓ ନଥିଲେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ଗତକାଲି ଝାରସୁଗୁଡ଼ା ସ୍ଥିତ ବ୍ରଜରାଜନଗର ଗାନ୍ଧି ଛକରେ ଥିବା ବିଜେଡି କାର୍ଯ୍ୟାଳୟର ଉଦଘାଟନ କରିବାକୁ ଯାଉଥିବା ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କର୍ମୀ ଫୁଲମାଳ ପିନ୍ଧାଇ ସ୍ଵାଗତ କରୁଥିବାବ ବେଳେ ଗୁଳିମାଡ କରିଥିଲେ ଗୋପାଳ। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ଵର ସ୍ଥିତ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଙ୍କ ସକଳ ଚେଷ୍ଟା ସତ୍ତ୍ଵେ ନବ ଦାସଙ୍କ ମୃତ୍ୟୁ ଘଟିଥିଲା।
ଗୁଳିମାଡ ପରେ ତୁରନ୍ତ ପୋଲିସ ଅଭିଯୁକ୍ତ ଏଏସଆଇ ଗୋପାଳକୁ କବଜା କରିଥିଲା। ଏହି ସମୟରେ ବିଜେଡି ସମର୍ଥକ ଗୋପାଳ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ୍ ଏବଂ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ଦୃଶ୍ୟ ଦେଖିବାକୁ ମିଳିଥିଲା। ଶେଷରେ ପୋଲିସ ଗୋପାଳଙ୍କୁ ନିଜ ହେପାଜତରେ ନେବାରେ ସଫଳ ହୋଇଥିଲା। ଘଟଣା ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତୁରନ୍ତ କ୍ରାଇମବ୍ରାଞ୍ଚ ଦଳ ଝାରସୁଗୁଡା ଯାତ୍ରା କରିଥିଲେ। ଗତକାଲିଠୁ କ୍ରାଇମବ୍ରାଞ୍ଚ ଅଧିକାରୀ ଗୋପାଳଙ୍କୁ ଜେରା କରିଥିଲେ।