ତେନ୍ତେଇରେ ଦୁଷ୍କର୍ମ ପରେ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ବିବୃତ୍ତି ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

Published By : Prameya-News7 Bureau | November 26, 2019 IST

ଭୁବନେଶ୍ବର ୨୬।୧୧ :  ଜଗତସିଂହପୁର ତେନ୍ତେଇରେ ଦୁଷ୍କର୍ମ ପରେ ଯୁବତୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ।  ସେ କହିଛନ୍ତି ଯେ, ଅଭିଯୁକ୍ତର ଏକତରଫା ପ୍ରେମ ପାଇଁ ଯୁବତୀ ଆତ୍ମହତ୍ୟା କରିଛନ୍ତି । ଅଭିଯୁକ୍ତ ଦୀପକ ବେହେରା ଗିରଫ ହୋଇଛି । ଯୁବତୀଙ୍କ ଘର ଆଗରେ ଅଭିଯୁକ୍ତ ଆପତ୍ତିଜନକ ଫଟୋ ଲଗାଇଥିଲେ । ଆତ୍ମହତ୍ୟା ପରେ ଏଫଆଇଆର ଦେଇଥିଲେ ପରିବାରଲୋକ । ଏସଡିପିଓ ଘଟଣାର ତଦନ୍ତ କରୁଛନ୍ତି ।

ଗୃହରେ ମନ୍ତ୍ରୀଙ୍କ ବିବୃତି ଦାବିରେ ଗତକାଲି ବିରୋଧୀ ନାରାବାଜି କରିଥିଲେ । ଗୃହ ବାରମ୍ବାର ମୁଲତବି ହୋଇଥିଲା । ଏହି ପ୍ରସଙ୍ଗରେ ଆଜି ଗୃହରେ ଉତ୍ତର ରଖିବା ଲାଗି ରୁଲିଂ ଦେଇଥିଲେ ବାଚସ୍ପତି । ସେପଟେ ବିରୋଧୀଙ୍କ ନାରାବାଜିକୁ ନେଇ ଶାସକ ଦଳ ଜବାବରେ କହିଥିଲା ଯେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ପ୍ରସଙ୍ଗ ଉଠାଇବା କ୍ଷଣି ରୁଲିଂ ଦାବି କରି ନାରାବାଜି କରିବା ଠିକ୍ ନୁହେଁ ।

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ତେନ୍ତେଇ ଗାଁରେ ଜଣେ ଦଳିତ ଝିଅଙ୍କୁ ଜଣେ ମାଂସ କଟାଳି ଦୀପକ ବେହେରା ଭୟଭୀତ କରାଇ ତାଙ୍କ ପରିବାର ଆଗରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ବାପା ମାଙ୍କ ବିରୋଧ ସତ୍ବେ ତାଙ୍କୁ ଧମକଚମକ ଓ ମାରିଦେବାକୁ କହି ବାରମ୍ବାର ଦୁଷ୍କର୍ମ କରିଥିଲା ।

ଏନେଇ ପୋଲିସ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ପରିବାର ଲୋକେ, ହେଲେ ପୋଲିସ ଶୁଣିଲାନି। ବରଂ ଝିଅର ଅଶ୍ଳୀଳ ଫଟୋ ଉଠାଇ ଘର ଆଗରେ ପୋଷ୍ଟର ଲଗାଇଲା ଦୀପକ। ଏସବୁ ସହି ନପାରି ଝିଅଟି ଶେଷରେ ଆତ୍ମହତ୍ୟା କଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.