ମନ୍ତ୍ରୀଙ୍କ ଉପସ୍ଥିତିରେ ଏପଲ କମ୍ପାନୀ ମ୍ୟାନେଜର ବିବେକ ତିୱାରୀଙ୍କ ହେଲା ଶବ ସତ୍କାର
30/09/2018 at 5:24 PM

ଲକ୍ଷ୍ନୌ ୩୦|୯: ଉତ୍ତରପ୍ରଦେଶରେ ଏପଲ କମ୍ପାନୀ ମ୍ୟାନେଜର ବିବେକ ତିୱାରୀଙ୍କ ଆଜି ବୈକୁଣ୍ଠ ଧାମରେ ଶବ ସତ୍କାର କରାଯାଇଛି | ଶବ ସତ୍କାର ସମୟରେ ବୈକୁଣ୍ଠ ଧାମରେ ମନ୍ତ୍ରୀ ବ୍ରିଜେଶ ପାଠକ ଏବଂ ଆଶୁତୋଷ ଟଣ୍ଡନ ମଧ୍ୟ ପହଂଚିଥିଲେ | ମନ୍ତ୍ରୀ ବ୍ରିଜେଶ ପାଠକ ବିବେକଙ୍କ ପରିବାରକୁ ସହାୟତା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି |
ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ବିବେକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି | ତେବେ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣାକୁ ନେଇ ବିବେକଙ୍କ ପତ୍ନୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି | ତାଙ୍କ କହିବା ଅନୁଯାୟୀ ପରିବାରରେ ବିବେକ ଏକ ହିଁ ରୋଜଗାର କରୁଥିଲେ | ତାଙ୍କର ପିଲାଙ୍କ ଭବିଷ୍ୟତ ଅନ୍ଧାର ହେଇଯିବ | ପିଲାଙ୍କ ଭବିଷ୍ୟତ ପାଇଁ ସେ ସରକାରଙ୍କୁ ୧ କୋଟି କ୍ଷତିପୂରଣ ଦାବି କରିଛନ୍ତି |
ବିବେକଙ୍କ ପତ୍ରୀ କଳ୍ପନା ମଧ୍ୟ ବିବେକଙ୍କ ଉପରକୁ ଗୁଳିମାଡ କରିଥିବା ଦୁଇ କନେଷ୍ଟବଳଙ୍କ ନାଁରେ ଗୋମତିନଗର ଥାନାରେ ହତ୍ୟା ମାମଲା ରୁଜ୍ଜୁ କରିଛନ୍ତି | ଏହା ପୂର୍ବରୁ ବିବେକଙ୍କ ସହକର୍ମୀ ସନା ଖାନ ମାମଲା ଦାୟର କରିଥିଲେ | ଦୁଇ କନେଷ୍ଟବଳଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିବେକଙ୍କ ପରିବାରଲୋକେ | ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ଜେଲକୁ ପଠେଇଦେଇଛି | ମନ୍ତ୍ରୀ ବ୍ରିଜେଶ ପାଠ କହିଛନ୍ତି, ଯଦି ବିବେକଙ୍କ ପରିବାର ଲୋକେ ଚାହୁଁଛନ୍ତି ଘଟଣାର ସିବିଆଇ ତଦନ୍ତ ହେଉ ତାହେଲେ ନିଶ୍ଚୟ ଏହାର ସିବିଆଇ ତଦନ୍ତ କରାଯିବ |
ତେବେ ବିବେକଙ୍କ ପତ୍ନୀ କଳ୍ପନା ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ଦେଖା କରିବାକୁ ଚାହାନ୍ତି ବୋଲି ବ୍ରିଜେଶ ପାଠକଙ୍କୁ କହିଥିଲେ | ତେବେ ସେ ନିଜ ପରିବାରକୁ ସୁରକ୍ଷା ପ୍ରଦାନ କରିବା ପାଇଁ ମଧ୍ୟ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି | ତେବେ ମନ୍ତ୍ରୀ ବ୍ରିଜେଶ ପାଠକ ଏହି ମାମଲାର ଶୁଣାଣି ଫାଷ୍ଟ ଟ୍ରାକ କୋର୍ଟରେ କରେଇବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି |