ଓଡ଼ିଆ ଫିଲ୍ମ ‘ମାଇଣ୍ଡଗେମ୍‌’ର ଆସିବ ଟିଜର, ଇଣ୍ଡୋନେସିଆରୁ ଲାଇଭ୍‌ କରିବେ ମନୋଜ ମିଶ୍ର

Published By : Prameya-News7 Bureau | November 20, 2022 IST

ଭୁବନେଶ୍ୱର ୨୦।୧୧: ଆଜି ବହୁ ପ୍ରତୀକ୍ଷିତ ଓଡ଼ିଆ ସିନେମା ‘ମାଇଣ୍ଡଗେମ୍‌’। ଆଜି ତାର  ଟିଜର୍‌ ରିଲିଜ୍‌ ହେ । ଏନେଇ ଇଣ୍ଡୋନେସିଆ ଓଡ଼ିଆ ସମାଜ ପକ୍ଷରୁ ନିମନ୍ତ୍ରଣ ପାଇ ସେଠାକୁ ଯାଇଛନ୍ତି ମୁଖ୍ୟ ଅଭିନେତା ମନୋଜ ମିଶ୍ର । ସେଠାରେ ଭାରତୀୟ ଦୂତାବାସ, ଜାକର୍ତ୍ତା ଆସେମ୍ବ୍ଲି ହଲ୍‌ରେ ଚଳଚ୍ଚିତ୍ରର ଟିଜର୍‌ ରିଲିଜ୍‌ ହେବ । ଏହି ସମୟରେ ଶ୍ରୀ ମିଶ୍ର ଏହାର ଲାଇଭ୍‌ କରିବେ ବୋଲି ଯିବା ପୂର୍ବରୁ ସୂଚନା ଦେଇଥିଲେ । ଆସନ୍ତା ଡିସେମ୍ବର ଶେଷ ଏବଂ ଜାନୁଆରୀ ପ୍ରଥମ ସପ୍ତାହରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ । ପୂର୍ବରୁ ୨୭ତମ କୋଲାକାତା ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହୋଇ ବେଶ୍‌ ପ୍ରଶଂସା ସାଉଁଟିଥିଲା ।

ଚଳଚ୍ଚିତ୍ରର ପ୍ରଯୋଜକ ଶ୍ରୀଧର ମାର୍ଥା କହିଛନ୍ତି, ଆସନ୍ତା ଜାନୁଆରୀରେ ମୁକ୍ତିଲାଭ ପାଇଁ ଆମେ ପ୍ରସ୍ତୁତ ହେଉଛୁ । ସିନେମାଟି ସର୍ବଭାରତୀୟ ସ୍ତରରେ ଓଡ଼ିଆ ସମେତ ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ । ପାଟଣାଗଡ଼ା ପାର୍ସଲ୍‌ ବୋମା ବିଷୟକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି ବିଭିନ୍ନ ବାଦ ବିବାଦ ଲାଗି ଚର୍ଚ୍ଚାରେ ରହିଥିଲା । ତୃତୀୟ ଥର ପାଇଁ ଶୀର୍ଷକ ବଦଳି ସେନସର୍‌ ବୋର୍ଡ ରିଭ୍ୟୁ କମିଟିର ନିର୍ଦ୍ଦେଶକ୍ରମେ ଶେଷରେ ‘ମାଇଣ୍ଡଗେମ୍‌’ ହୋଇଥିଲା । ଏହାର କାହାଣୀ ରହସ୍ୟ ଓ ରୋମାଞ୍ଚରେ ପରିପୂର୍ଣ୍ଣ ଥିଲାବେଳେ ଏହା ଏକ ବ୍ୟୟବହୁଳ ଚଳଚ୍ଚିତ୍ର ।

ଯେଉଁଥିରେ ଅଭିନେତା ଅତୁଲ କୁଲକର୍ଣ୍ଣି, ମନୋଜ ମିଶ୍ର, ୟଶପାଲ ଶର୍ମା, ତନିକେଲା ଭରାନୀ, ଚିନ୍ମୟ ମିଶ୍ର, ଅଭିନେତ୍ରୀ ଅନୁ ଚୌଧୁରୀ, ଅପ୍ସରା ରାଣୀଙ୍କ ଭଳି ଚର୍ଚ୍ଚିତ କଳାକାରମାନେ ଅଭିନୟ କରିଛନ୍ତି । ରେଞ୍ଜ୍‌ ରୟାଲ ସିନେ ଲାବ୍‌ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ସଫଳତାକୁ ନେଇ ଉଭୟ ପ୍ରଯୋଜକ ଓ ନିର୍ଦ୍ଦେଶକ ବେଶ୍‌ ଆଶାବାଦୀ ଅଛନ୍ତି । ବଡ଼ କଥା ହେଲା, କୋଲାକାତା ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଏହି ସିନେମାକୁ ଅଜସ୍ର ଦର୍ଶକୀୟ ସମର୍ଥନ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.