ମିଲେଟ୍ ମ୍ୟାନ୍ ଭାବେ ପରିଚିତ ବିଶିଷ୍ଟ ସମାଜ ସେବୀ ପିଭି ସତୀଶଙ୍କ ପରଲୋକ

Published By : Prameya-News7 Bureau | March 19, 2023 IST

ହାଇଦ୍ରାବାଦ: ପ୍ରାକୃତିକ କୃଷୀକୁ ପ୍ରୋତ୍ସାହନ, ମହିଳା ବିକାଶ ଆଦି କ୍ଷେତ୍ରରେ ଅନେକ ଆଦର୍ଶଗତ କାର୍ଯ୍ୟ କରିଥିବା ତେଲେଙ୍ଗାନାର ମିଲେଟ ମ୍ୟାନ ଭାବେ ପରିଚିତ ପିଭି ସତୀଶଙ୍କର ପରଲୋକ ହୋଇଛି। ସତୀଶ ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ଥିଲେ। ରବିବାର ସକାଳେ ହାଇଦ୍ରାବରେ ୭୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସତୀଶ। ସୋମବାର ସକାଳ ସାଢ଼େ ଦଶଟାରେ ତାଙ୍କର ଶେଷ କୃତ୍ୟ ହେବ ବୋଲି ସୂଚନା ମିଳିଛି।

ଭାରତ ପାରମ୍ପରିକ କୃଷି ଓ କୃଷକଙ୍କୁ ସହଯୋଗ କରିବାକୁ ୪୦ ବର୍ଷ ତଳେ ଡିକେନ ଡେଭଲପମେଣ୍ଟ ସୋସାଇଟି(DDS) ନାମକ ଏକ ଏନ୍‌ଜିଓ ଗଠନ କରିଥିଲେ ସତୀଶ। ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରେ ଡିଡିଏସର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟରତ ଥିଲେ। କୃଷି କ୍ଷେତ୍ରରେ ତାଙ୍କର ଯୋଗଦାନ ପାଇଁ ସେ ଖୁବ୍ ଲୋକପ୍ରିୟ ହୋଇପାରିଥିଲେ। ତାଙ୍କ ବିୟୋଗରେ ତେଲେଙ୍ଗାନା କୃଷିମନ୍ତ୍ରୀ ଏସ୍‌ ନିରଞ୍ଜନ ରେଡ୍ଡୀ ଦୁଃଖ ପ୍ରକାଶ କରିବା ସହ ଟ୍ୱିଟ୍ କରି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ମହିଳା ଚାଷୀଙ୍କୁ କିଭଳି ଭାରତର ପାରମ୍ପରିକ କୃଷି ବିଷୟରେ ପ୍ରିଶିକ୍ଷଣ ଓ ପ୍ରୋତ୍ସାହନ ଦିଆଯିବ ସେ ନେଇ ଜହୀରବାଦରେ ଏକ କମ୍ୟୁନିଟି ରେଡିଓ ଷ୍ଟେସନ୍ ଆରମ୍ଭ କରିଥିଲେ। ୧୯୮୩ ପର୍ଯ୍ୟନ୍ତ ସତୀଶ ସେମାନଙ୍କ ସହ କାର୍ଯ୍ୟ କରିଥିଲେ। ଏବଂ ପ୍ରତ୍ୟେକ ସଂକ୍ରାନ୍ତିରେ ପାରମ୍ପରିକ ଶସ୍ୟର ମେଳା ଲଗାନ୍ତି।  

ସୂଚନା ଥାଉକି ୧୯୪୫ ଜୁନ ୧୮ ତାରିଖରେ ମହୀଶୂରରେ ଜନ୍ମଗ୍ରହଣ କରିଥିବା ପେରିଆପାଟନା ଭେଙ୍କଟଶୁଭାୟ ସତୀଶ ଦିଲ୍ଲୀ IIMCରେ ସାମ୍ବାଦିକତାର ପାଠ ପଢ଼ି ସାମ୍ବାଦିକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଦୂରଦର୍ଶନରେ ଦୀର୍ଘ ୨୦ ବର୍ଷ ଟେଲିଭିଜନ ପ୍ରଡ୍ୟୁସର ଭାବେ କାର୍ଯ୍ୟ କରି ଟିଭି ସାମ୍ବାଦିକତା କ୍ଷେତ୍ରରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ପାରମ୍ପରିକ କୃଷି ଓ ସ୍ୱାକ୍ଷରତାକୁ ନେଇ ଦୂରଦର୍ଶନରେ ବିଭିନ୍ନ ଶୋ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.