ସେମି ଫାଇନାଲ୍‌ରେ ଆଣ୍ଠେଇଲା ଦକ୍ଷିଣ ଆଫ୍ରିକା, ମିଲରଙ୍କ ଶତକ ବଳରେ ଅଷ୍ଟ୍ରେଲିଆକୁ ଦେଲା ୨୧୩ ରନର ଟାର୍ଗେଟ୍

Published By : Prameya-News7 Bureau | November 16, 2023 IST

କୋଲକାତା: ଦକ୍ଷିଣ ଆଫ୍ରିକା ଦଳକୁ କାହିଁକି ଚୋକର୍ସ କୁହାଯାଏ, ତାହା ଆଉ କେଇ ଘଣ୍ଟା ପରେ ଖୋଦ୍ ଦକ୍ଷିଣ ଆଫ୍ରିକା ଦଳ ବୋଧହୁଏ ପ୍ରମାଣିତ କରି ଦେବ। କାରଣ ସବୁ ଥର ପରି ଏଥର ମଧ୍ୟ ଏହି ଦଳ ସେମି ଫାଇନାଲ୍‌ରେ ପରାଜିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। କେବଳ ଚମତ୍କାର ହିଁ ଏହି ଦଳକୁ ଫାଇନାଲ୍‌ରେ ପହଞ୍ଚାଇ ପାରିବ। ଦଳର ବିଜୟ ପାଇଁ ଏବେ କେବଳ ବୋଲର ହିଁ ଭରସା।  କୋଲକାତାକାର ଇେଡେନ୍ ଗାର୍ଡେନ୍ସରେ ଖେଳାଯାଉଥିବା ବିଶ୍ଵକପ୍ ୨୦୨୩ର ଦ୍ଵିତୀୟ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ୪୯.୪ ଓଭରରେ ୨୧୨ ରନରେ ଅଲଆଉଟ୍ ହୋଇଛି। ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ୍‌ରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆ ସମ୍ମୁଖରେ ୨୧୩ ରନର ବିଜୟ ଲକ୍ଷ୍ୟ ରହିଛି। ଦଳ ପକ୍ଷରୁ ଡେଭିଡ୍ ମିଲର ସର୍ବାଧିକ ୧୦୧ ରନର ଶତକୀୟ ଲଢୁଆ ଇନିଂସ ଖେଳିଥିବା ବେଳେ ହେନରିଚ୍ କ୍ଲାସେନ ୪୭ ରନ କରିଛନ୍ତି। ଅନ୍ୟ ବ୍ୟାଟର କଙ୍ଗାରୁ ଦଳ ବୋଲିଂର ମୁକାବିଲା କରି ପାରି ନାହାନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରେ ମିଚେଲ୍ ଷ୍ଟାର୍କ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି। ଉଲ୍ଲେଖନୀୟ ଆଜିର ବିଜେତା ଫାଇନାଲ୍‌ରେ ନଭେମ୍ବର ୧୯ ତାରିଖରେ ଭାରତକୁ ଭେଟିବ।

wp:heading {"level":4}

ଅଧିକ ପଢନ୍ତୁ- ୫୦ ଶତକ ସହଜ ନୁହେଁ, ଦଶନ୍ଧିରେ ଥରେ ଏପରି ଖେଳାଳି ଜନ୍ମ ନିଅନ୍ତି- କେନ୍‌ ଓ୍ୱିଲିୟମ୍‌ସନ୍‌

/wp:heading

ଟସ୍  ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଅଧିନାୟକ ତେମ୍ବା ବାଭୁମା ଖାତା ଖୋଲି ପାରି ନ ଥିଲେ। ଫର୍ମରେ ଥିବା କ୍ଵିଣ୍ଟନ ଡିକକ୍‌(୩) ଆଉଟ୍ ହୋଇଥିଲେ। ଆଡନ ମାରକ୍ରମ(୧୦) ଓ ରସି ଭାନଡର ଡସେନ(୬) ଦଳକୁ ନିରାଶ କରିଥିଲେ। ଏହାପରେ ହେନରିଚ୍ କ୍ଲାସେନ ଓ ଡେଭିଡ୍ ମିଲର ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍ ପାଇଁ ୯୫ ରନ ଯୋଡ଼ି ଦଳର ସ୍ଥିତି ସୁଧାରିଥିଲେ। ହେଲେ ୧୧୯ ରନ ସ୍କୋରରେ କ୍ଲାସେନଙ୍କୁ ଆଉଟ୍ କରି ଟ୍ରେଭିସ୍ ହେଡ୍ ଦକ୍ଷିଣ ଆଫ୍ରିକାକୁ ବହୁତ ବଡ଼ ଝଟକା ଦେଇଥିଲେ। ସେ ୪୮ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୪୭ ରନ କରିଥିଲେ। ସେହି ସମାନ ସ୍କୋରରେ ମାର୍କୋ ଜନସେନ(୦) ଟ୍ରେଭିସ୍ ହେଡ୍‌ଙ୍କ ଶିକାର ହୋଇଥିଲେ।

ଏହା  ପରେ ମିଲର ଓ ଗେରାଲ୍ଡ କୋଏତଜି ସପ୍ତମ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡ଼ିଥିଲେ। କ୍ରିଜରେ ସେଟ୍ ହୋଇ ଆସୁଥିବା ବେଳେ କୋଏତଜି ୧୯ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ମିଲର ସାହସିକ ଇନିଂସ ଖେଳି ଶତକ ଅର୍ଜନ କରିଛନ୍ତି। ସେ ୧୧୬ ବଲ୍‌ରୁ ୮ ଚୌକା ଓ ୫ ଛକା ସହ ୧୦୧ ରନର ଧୈର୍ଯ୍ୟପୂର୍ଣ୍ଣ ଶତକୀୟ ଇନଂସ ଖେଳିଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ଇନିଂସ ୪୯.୩ ଓଭରରେ ୨୧୨ ରନରେ ଅଲଆଉଟ୍ ହୋଇଛି। କାଗିସୋ ରାବଡ଼ା ୧୦  କରି ଆଉଟ୍ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.