ଚୀନର ସବୁ ଦେଶ ସହିତ ସୀମା ବିବାଦ, ଭାରତ ଦେଇଛି ମୁହଁତୋଡ ଜବାବ: ପାମ୍ପିଓ

Published By : Prameya-News7 Bureau | July 08, 2020 IST

ଓ୍ଵାଶିଂଟନ ୦୮।୦୭: ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପାମ୍ପିଓ ସୀମା ବିବାଦକୁ ନେଇ ଚୀନକୁ ଶାଣିତ ସ୍ଵରରେ ହମଲା କରିଛନ୍ତି। ସେ କହିଛନ୍ତି ଚୀନର ଏମିତି କୌଣସି ପଡୋଶୀ ଦେଶ ନାହାନ୍ତି ଯାହା ସହ ଚୀନର ସୀମା ବିବାଦ ନାହିଁ। ନିକଟରେ ଚୀନ ଭୂଟାନ ସହିତ ମଧ୍ୟ ତାର ସୀମା ବିବାଦ କଥା କହିଛି। ପାମ୍ପିଓ ଲଦାଖରେ ଚୀନୀ ଅନୁପ୍ରବେଶକାରୀକୁ ନେଇ ଭାରତର ମୁହଁତୋଡ ଜବାବକୁ ମଧ୍ୟ ଭୂରି ଭୂରି ପ୍ରଶଂସା କରିଛନ୍ତି।

ଭାରତ-ଚୀନ ସୀମା ବିବାଦକୁ ନେଇ ପାମ୍ପିଓ କହିଛନ୍ତି, ମୁଁ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଏହି ବିଷୟରେ ଆଲୋଚନା କରିଛି। ଚୀନ ଅକାରଣରେ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ନେଇଛି ଏବଂ ଭାରତ ଏହାର ମୁହଁତୋଡ ଜବାବ ଦେଇଛି। ଚୀନ କମ୍ୟୁନିଷ୍ଟ ପାର୍ଟି ନିକଟରେ ଭୂଟାନ ସହିତ ସୀମା ବିବାଦ ଉଲ୍ଲେଖ କରିଥିଲା। ହିମାଳୟର ପାର୍ବତ୍ୟମାଳାଠୁ ନେଇ ସମୁଦ୍ରରେ ଭିଏତନାମର ସେନକାକୁ ଦ୍ଵୀପ ପର୍ଯ୍ୟନ୍ତ ଚୀନର ସୀମା ବିବାଦ ରହିଛି। ଚୀନ ପାଖରେ ଆଞ୍ଚଳିକ ବିବାଦକୁ ଉସୁକାଇବା ଏକ ଅଭ୍ୟାସ୍‌ରେ ପରିଣତ ହୋଇ ଗଲାଣି। ଦୁନିଆକୁ ଏହି ପରି ବଦମାସିକୁ ଅନୁମତି ଦିଆଯାଇ ପାରିବ ନାହିଁ।

wp:html /wp:html

ପାମ୍ପିଓ କହିଛନ୍ତି, ଚୀନ ବିଦେଶ ଦେଶ ଅପେକ୍ଷା ନିଜ ଲୋକଙ୍କୁ ଖୋଲାଖୋଲି ନିଜର ଭାବନା ବ୍ୟକ୍ତ କରିବାରେ ଭୟ କରୁଛି। ଚୀନର କମ୍ୟୁନିଷ୍ଟ ପାର୍ଟି ପାଖରେ ବିଶ୍ଵସୀୟନତାର ସମସ୍ୟା ରହିଛି। ଏହି କାରଣରୁ ଚୀନ ଦୁନିଆକୁ କରୋନାର ସତ କଥା ଜଣାଇବାରେ ବିଫଳ ହୋଇଛି। ଯେଉଁ କାରଣରୁ ଏ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି।

ଟିକ୍‌ଟକ୍‌କୁ ନେଇ ଆମେରିକା ଗମ୍ଭୀର

ଆମେରିକା ବୈଦେଶିକ ମନ୍ତ୍ରୀ ଚାଇନିଜ୍‌ ଆପ୍ ଟିକ୍‌ଟକ୍‌କୁ ନିଷେଦ୍ଧ କରିବା ଉପରେ କହିଛନ୍ତି, ଏହାକୁ ଗୁରୁତର ଭାବେ ବିଚାର କରାଯାଉଛି। ଆମେ ଆମେରିକୀ ନାଗରିକଙ୍କ ଗୋପନୀୟତା ଓ ଏହାର ତଥ୍ୟ ପ୍ରତିରକ୍ଷାକୁ ନେଇ ପ୍ରତିବଦ୍ଧ। ଆମେ ଆମେରିକୀ ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ନିରନ୍ତର ମୂଲ୍ୟାଙ୍କନ କରୁଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.