ବିଦେଶ ଫେରନ୍ତାଙ୍କୁ ଫ୍ରି, କିନ୍ତୁ ଶ୍ରମିକଙ୍କଠାରୁ ଭଡା ଅସୁଲ, କୁଆଡେ ଗଲା ପିଏମ୍ କେୟାର୍ସ ଫଣ୍ଡ ?
3/05/2020 at 3:04 PM

ନୂଆଦିଲ୍ଲୀ ୦୩।୦୫: କରୋନାର ବଢୁଥିବା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ଦେଶବ୍ୟାପୀ ତୃତୀୟ ଲକ୍ଡାଉନ୍ ଜାରି କରିଛନ୍ତି। ଏହି ଲକ୍ଡାଉନ୍ କାରଣରୁ ଲକ୍ଷାଧିକ ଶ୍ରମ ଜୀବୀ ଅଲଗା ଅଲଗା ରାଜ୍ୟରେ ଫସି ରହିଛନ୍ତି। ଏହି ଶ୍ରମ ଜୀବୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ଗୃହ ମନ୍ତ୍ରଣାଳୟ ଗାଇଡ୍ଲାଇନ୍ ଜାରି କରିଛନ୍ତି। ମାତ୍ର ଶ୍ରମଜୀବୀଙ୍କୁ ନିଜ ଘରକୁ ପଠାଇବା ବଦଳରେ ରାଜ୍ୟ ସରକାରଙ୍କଠୁ ଟ୍ରେନ୍ ଭଡା ନେବା ପ୍ରସଙ୍ଗ ଚର୍ଚ୍ଚାର ପରିଧିକୁ ଆସିଛି।
ଏହି ପ୍ରସଙ୍ଗକୁ ନେଇ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। ଉମର ଟୁଇଟ୍ କରି କହିଛନ୍ତି ଯେ, ଯଦି ଆପଣ କରୋନା ସଙ୍କଟ ବେଳେ ବିଦେଶରେ ଫସିଛନ୍ତି ତେବେ ସରକାର ଆପଣଙ୍କୁ ମାଗଣାରେ ଦେଶକୁ ଆଣିବେ, ଯଦି କୌଣସି ରାଜ୍ୟରେ ଶ୍ରମିକ ଫସିଛନ୍ତି ତେବେ ସେମାନଙ୍କୁ ସାମାଜିକ ଦୂରତ୍ଵ ନିୟମ କଡାକଡି ପାଳନ କରାଯିବା ସହିତ ଭଡା ଖର୍ଚ୍ଚ ମଧ୍ୟ ଦେବାକୁ ପଡୁଛି। ଯଦି ଏମିତି ତେବେ ପିଏମ କେୟାର୍ସ ଫଣ୍ଡ କୁଆଡେ ଗଲା ?
ଅଖିଳେଶ ମଧ୍ୟ କେନ୍ଦ୍ରକୁ ଘେରିଲେ
ଶ୍ରମିକଙ୍କଠୁ ଭଡା ନେବା ପ୍ରସଙ୍ଗରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ରବିବାର କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ଟ୍ରେନରେ ନିଜ ଘରକୁ ଫେରୁଥିବା ଗରିବ, ଶ୍ରମିକଙ୍କଠୁ ବିଜେପି ସରକାର ପଇସା ନେବା ଖବର ବହୁତ ନିନ୍ଦନୀୟ। ଆଜି ସ୍ପଷ୍ଟ ହୋଇ ଯାଇଛି ଯେ, ପୁଞ୍ଜିପତିଙ୍କ ହଜାର ହଜାର କୋଟି ଟଙ୍କା ଋଣ ଛାଡ କରୁଥିବା ବିଜେପି ସରକାର ଧନୀଙ୍କ ସହିତ ରହିଛି ଏବଂ ଗରିବଙ୍କ ବିରୋଧ କରୁଛି।