ଦୁର୍ଘଟଣା ପୂର୍ବରୁ ବିମାନରୁ ବାହାରିଯାଇଥିଲେ ନିଖୋଜ ପାଇଲଟ,ଏବେବି ମିଳୁନି ସନ୍ଧାନ
30/11/2020 at 10:42 PM

ଚେନ୍ନାଇ ୩୦।୧୧: ଗତ ଗୁରୁବାର ଅପରହ୍ଣରେ ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିବା ମିଗ୍-୨୯କେ ଯୁଦ୍ଧବିମାନର ପାଇଲଟଙ୍କ ସନ୍ଧାନ ଏବେବି ମିଳିନି। ସମୁଦ୍ର ତଳୁ ବିମାନର ଧ୍ୱଂସାବଶେଷ ଉଦ୍ଧାର ହୋଇଛି। ଏଥିରେ ବିମାନରୁ ପାଇଲଟଙ୍କ ସିଟ୍ ଇଜେକ୍ଟ ହୋଇଯାଇଥିବାର ଦେଖାଯାଇଛି। ଏଣୁ ବିମାନ ଦୁର୍ଘଟଣା ପୂର୍ବରୁ ପାଇଲଟ ବିମାନରୁ ବାହାରି ଯାଇଥିଲା ସ୍ପଷ୍ଟ ହୋଇଯାଇଛି।
ଏହି ବିମାନକୁ କମାଣ୍ଡର ନିଶାନ୍ତ ସିଂହ ଚଳାଉଥିବା ବେଳେ ସାଙ୍ଗରେ ଟ୍ରେନି ପାଇଲଟ ଥିଲେ। ଦୁର୍ଘଟଣା ବେଳେ ଟ୍ରେନି ପାଇଲଟଙ୍କୁ ବିମାନରୁ ବାହାରୁଥିବା ଦେଖାଯାଇଥିଲା। ଏଣୁ ତାଙ୍କୁ ତୁରନ୍ତ ସମୁଦ୍ରରୁ ଉଦ୍ଧାର କରାଯାଇଥିଲା। ତେବେ ପାଇଲଟ ନିଶାନ୍ତ ସିଂହଙ୍କର କୌଣସି ସୂଚନା ମିଳିନଥିଲା। ଋଷିଆ ନିର୍ମିତ ମଗି୍-୨୯ କେ ଯୁଦ୍ଧବିମାନ କେ-୩୬ଡି-୩.୫ ଇଞ୍ଜେକ୍ସନ ସିଟ୍ରେ ସଜ୍ଜିତ। ଯାହାକୁ ବିଶ୍ୱର ସବୁଛୁ ଅଧିକ ସୁରକ୍ଷିତ ମନେ କରାଯାଏ। ତେବେ ପାଇଲଟଙ୍କ ବ୍ୟକ୍ତିଗତ ଲୋକେଟର ବିକନ ପାଣି ସଂସ୍ପର୍ଷରେ ଆସିବା ପରେ ଇଲେକ୍ଟ୍ରୋନିକ ବିପଦ ସଂକେତ ଦେବାରେ କିପରି ବିଫଳ ହେଲା ସେ ନେଇ ଏବେ ତଦନ୍ତ ହେଉଛି।
ଦୁର୍ଘଟଣା ବେଳେ ବିମାନ ସ୍ୱଳ୍ପ ଉଚ୍ଚତାରେ ଥିଲା। ତେବେ ପାଇଲଟ କିପରି ନିଖୋଜ ହେଲେ ସେ ନେଇ ଉଦବେଗ ପ୍ରକାଶ ପାଇଛି। ପାଇଲଟଙ୍କ ତଲାସ ଲାଗି ୧୪ଟି ବିମାନକୁ ନିୟୋଜିତ କରାଯାଇଥିବା ବେଳେ ଯୁଦ୍ଧତରୀମାନେ ମଧ୍ୟ ନିୟୋଜିତ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ ନିଖୋଜ ପାଇଲଟଙ୍କ ସନ୍ଧାନ ମିଳିନାହିଁ।