ଭାରତରେ ଡାଉନ୍ ହେଲା ମାଇକ୍ରୋସଫ୍ଟ
25/01/2023 at 4:18 PM

ନୂଆଦିଲ୍ଲୀ: ଭାରତରେ ହଠାତ୍ ଡାଉନ୍ ହେଲା ମାଇକ୍ରୋସଫ୍ଟ। କମ୍ପାନୀର ସମସ୍ତ ସେବା ହଠାତ୍ ବାଧାପ୍ରାପ୍ତ ହୋଇଛି। ଆଉଟଲୁକ, ମାଇକ୍ରୋସଫ୍ଟ ଟିମ୍, ଅଜୁରେ, ଏବଂ ମାଇକ୍ରୋସଫ୍ଟ ୩୬୫ ଏସବୁ ଭାରତରେ ଡାଉନ ହୋଇଛି।
ମାଇକ୍ରୋସଫ୍ଟ ଆଉଟ୍ଲୁକ୍ ଜରିଆରେ ଭାରତୀୟମାନେ ମେଲ୍ ପଠାଇବା ଓ ରିସିଭ୍ କରିବାରେ ସମସ୍ୟା ହେଉଛି। ଏହା ବାଦ୍ ଆଉଟ୍ଲୁକ୍ର ୱେବ୍ସାଇଟ୍ ଓ ଆପ୍ ବି ରିଫ୍ରେସ୍ ହେଉ ନାହିଁ। ଫଳରେ ୟୁଜରମାନେ ନା ମେଲ୍ ପଠାଇ ପାରୁଛନ୍ତି ନା ପାଇପାରୁଛନ୍ତି ବୋଲି ଗ୍ରାହକ ଅଭିଯୋଗ କରିଛନ୍ତି।
ତେବେ ଅଭିଯୋଗ ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛି କମ୍ପାନୀ। ସମସ୍ୟାର ସମାଧାନ ହୋଇଛି। ବର୍ତ୍ତମାନ ଆଉଟଲୁକ୍ ଚାଲୁଛି ବୋଲି କମ୍ପାନୀ କହିଛି। ଏନେଇ ଟ୍ୱିଟ୍ କରି କମ୍ପାନୀ କହିଛି “ ନେଟ୍ୱାର୍କିଂ କନ୍ଫିଗୁରେସନ ସମସ୍ୟା ପାଇଁ ସମସ୍ୟା ହୋଇଥିଲା। ଗ୍ରାହକଙ୍କୁ ଅଧିକ ସମସ୍ୟାରେ ନ ପକାଇବା ପାଇଁ ଆମେ ଏହାର ପ୍ରତିକାର ପାଇଁ ଗବେଷଣା ଜାରି ରଖିଛୁ।”
ବାଧାପ୍ରାପ୍ତ ସେବା ଉପରେ ନଜର ରଖୁଥିବା ଡାଉନ ଡିଟେକ୍ଟର ଡାଟା ଅନୁସାରେ, ଆର୍ଟିକଲ ଲଖିଲା ବେଳେ ସମସ୍ୟା ସାମ୍ନା କରିଥିବା ପ୍ରାୟ ୩ ହଜାର ଭାରତୀୟ ଗ୍ରାହକ ଅଭିଯୋଗ କରିଥିଲେ। ତେବେ କଣ ଏଭଳି ସମସ୍ୟା ହେଲା ସେ ନେଇ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।
ସୂଚନା ଥାଉକି ମାଇକ୍ରୋସଫ୍ଟ ସିଇଓ ସତ୍ୟା ନାଦେଲା ନିକଟରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଆମେରିକା ମୁଖ୍ୟାଳୟରୁ ଏହି ଛଟେଇ ଆରମ୍ଭ ହୋଇ ବିଭିନ୍ନ ଦେଶରେ ଏବେ ସୁଧା ପ୍ରକ୍ରିୟା ଜାରି ରହିଛି।