ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ସର୍ଭରରେ ବୈଷୟିକ ତ୍ରୁଟି ଯୋଗୁଁ ସାରା ଦୁନିଆ ଠପ୍ ହୋଇଯାଇଛି । ଦୁନିଆର ବହୁ ଶକ୍ତିଶାଳୀ ଦେଶ ଗୋଟିଏ ଝଟକାରେ ଧିମେଇ ଯାଇଛନ୍ତି । ହଠାତ୍ ସିଷ୍ଟମ୍ ବନ୍ଦ ହେବା ସହ ସ୍କ୍ରିନ୍ ବ୍ଲୁ ହୋଇଯାଇଥିଲା । ବ୍ୟାଙ୍କ, ଷ୍ଟକ୍ ଏକ୍ସଚେଞ୍ଜ, ନ୍ୟୁଜ୍ ଚ୍ୟାନେଲ୍ ଏବଂ ସବୁଠୁ ଅଧିକ ଏୟରାଲାଇନ୍ସ ସବୁକିଛି ପ୍ରଭାବିତ ହୋଇଛି ।
ମାଇକ୍ରୋସଫ୍ଟ ଅସୁବିଧା ପାଇଁ ସବୁଠୁ ଅଧିକ ପ୍ରଭାବ ବିମାନ ପରିଚାଳନା ଉପରେ ପଡ଼ିଛି । ଭାରତ ମଧ୍ୟ ଏହାର ପ୍ରଭାବରୁ ବର୍ତ୍ତି ପାରି ନାହିଁ । ଏଥିପାଇଁ ଭାରତର ପ୍ରାୟ ୨୦୦ରୁ ଅଧିକ ବିମାନ ଉଡାଣକୁ ବାତିଲ କରାଯାଇଛି । ବର୍ତ୍ତମାନ ସୁଦ୍ଧା କେବଳ ଇଣ୍ଡିଗୋ ୧୯୨ଟି ଉଡାଣକୁ ରଦ୍ଦ କରିଛି । ଭୁବନେଶ୍ବର ବିମାନ ବନ୍ଦରରୁ ଇଣ୍ଡିଗୋର ୫ଟି ବିମାନ ବାତିଲ । ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଅନଲାଇନରେ ବୋର୍ଡି ପାସ ବଦଳରେ ମାନୁଆଲ ଦିଆଯାଉଛି । ସେଥିପାଇଁ ୧ ଘଣ୍ଟା ବିଳମ୍ୱରେ ସବୁ ବିମାନ ଚାଲିଛି । ଅହମଦାବାଦ, ହାଇଦ୍ରାବାଦ, ଚେନ୍ନାଇ, ଦିଲ୍ଲୀ, କୋଲକାତା ଯାଉଥିବା ବିମାନ ସେବା ବାତିଲ ହୋଇଛି । ବାତିଲ ଫଳରେ ଭୁବନେଶ୍ୱରର ଇଣ୍ଡିଗୋ କାଉଣ୍ଟରରେ ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି ।
ସେପଟେ ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ ଅନୁସାରେ ଆମେରିକାର ତିନି ପ୍ରମୁଖ ବିମାନ କମ୍ପାନି ଆମେରିକାନ, ୟୁନାଇଟେଡ୍ ଏବଂ ଡେଲଟା ନିଜର ସମସ୍ତ ଉଡାଣକୁ ବାତିଲ କରିଛି । ସେହିପରି ବ୍ରିଟେନ ରେଳ ସର୍ଭିସ୍ ମଧ୍ୟରେ ମାଇକ୍ରୋସପ୍ଟର ଆଜିର ଅସୁବିଧା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି ।
ଅଷ୍ଟ୍ରେଲିଆ ଉପରେ ମାଇକ୍ରୋସଫ୍ଟ ସର୍ଭିର ଡାଉନର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି । ଦେଶର ନ୍ୟାସନାଲ ବ୍ରଡକାଷ୍ଟର, ଦେଶର ସବୁଠାରୁ ବଡ଼ ଅନ୍ତରାଷ୍ଟ୍ରୀୟ ଏୟରାପୋର୍ଟ ଏବଂ ଅନ୍ୟ ପଟେ ପ୍ରମୁଖ ଦୂରସଂଚାର କମ୍ପାନି ସମସ୍ୟାର ସୂଚନା ଦେଇଛନ୍ତି । ସେହିପରି ବ୍ରିଟେନର ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ୍ ସ୍କାଇ ନ୍ୟୁଜ୍ ମଧ୍ୟ ଏଥିରେ ପ୍ରଭାବିତ ହୋଇ ବନ୍ଦ ହୋଇଯାଇଛି । କମ୍ପାନିର କାର୍ଯ୍ୟକାରୀ ଅଧ୍ୟକ୍ଷ ଡେଭିଡ୍ ରୋଡ୍ସ ଏକ୍ସରେ କହିଛନ୍ତି, ସ୍କାଇ ନ୍ୟୁଜ୍ ଆଜି ସକାଳୁ ଲାଇଭ୍ ଟିଭି ପ୍ରସାରିତ କରିପାରି ନାହିଁ । ସମାଚାର ଏଜେନ୍ସି ଆସୋସିଏଡେଟ୍ ପ୍ରେସ୍ ମଧ୍ୟ ବହୁ ଅସୁବିଧାର ସାମନା କରିଛି ।