ମାଇକ୍ରୋସଫ୍ଟ ବୋର୍ଡ ଅଫ୍ ଡିରେକ୍ଟର୍ସରୁ ଇସ୍ତଫା ଦେଲେ ବିଲ୍ ଗେଟ୍ସ : ଜାଣନ୍ତୁ କାହିଁକି

Published By : Prameya-News7 Bureau | March 14, 2020 IST

ୱାଶିଂଟନ ୧୪/୩ : ମାଇକ୍ରୋସଫ୍ଟ କମ୍ପାନୀର ବୋର୍ଡ ଅଫ ଡିରେକ୍ଟରର୍ସ (ବୋର୍ଡ ନିର୍ଦ୍ଦେଶକ ମଣ୍ଡଳୀ)ରୁ ଇସ୍ତଫା ଦେଇଛନ୍ତି କମ୍ପାନୀର ସହପ୍ରତିଷ୍ଠାତା ବିଲ ଗେଟ୍ସ । ମାଇକ୍ରୋସଫ୍ଟ ପକ୍ଷରୁ ବିଲ୍‌ ଗେଟ୍‌ସଙ୍କ ଏହି ପଦକ୍ଷେପ ନେଇ ସୂଚନା ଦିଆଯାଇଛି । ତେବେ ନିଜର ସମାଜ ସେବା କାର୍ଯ୍ୟକୁ ଅଧିକ ସମୟ ଦେବାକୁ ବିଶ୍ବର ଦ୍ବିତୀୟ ଧନୀ ବିଲ୍‌ ଗେଟ୍‌ସ ମାଇକ୍ରୋସଫ୍ଟ ନିର୍ଦ୍ଦେଶକ ପଦରୁ ଅବ୍ୟାହାତି ନେଇଥିବା କମ୍ପାନୀ ସ୍ପଷ୍ଟ କରିଛି |ତେବେ ବିଲ୍‌ ଗେଟ୍‌ସ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ପ୍ରଯୁକ୍ତି ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ । ସାରାବିଶ୍ବରେ ସମାଜସେବା କାର୍ଯ୍ୟ ଜାରି ରଖିଥିବା ବିଲ୍‌ ଗେଟ୍‌ସ ବିଶ୍ବ ସ୍ବାସ୍ଥ୍ୟ, ଶିକ୍ଷା, ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ବିଲ୍‌ ଆଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନର ଏସବୁର ସମାଜସେବା କାର୍ଯ୍ୟକୁ ଅଧିକ ତ୍ବରାନିତ କରିବା ପାଇଁ ମାଇକ୍ରୋସଫ୍ଟର ବୋର୍ଡ ଅଫ୍‌ ଡାଇରେକ୍ଟର୍ସରୁ ସେ ଅବ୍ୟାହିତ ନେଇଥିବା ବିଲ୍‌ ଜଣାଇଛନ୍ତି ।

୧୯୭୫ ମସିହାରୁ ପଲ୍‌ ଆଲେନ୍‌ଙ୍କ ସହ ମିଶି ବିଲ୍‌ ଗେଟ୍‌ସ କମ୍ପୁଟର କମ୍ପାନୀ ମାଇକ୍ରୋସଫ୍ଟ ପ୍ରତିଷ୍ଠା କରିଥିଲେ । ୨୦୦୦ ମସିହା ପର୍ଯ୍ୟନ୍ତ ସେ କମ୍ପାନୀର ସିଇଓ ପଦବୀରେ ଥିଲେ |ତେବେ ୨୦୦୮ ମସିହାରେ ସେ ମାଇକ୍ରୋସଫ୍ଟର ଦୈନଦିନ କାର୍ଯ୍ୟରୁ ଦୂରେଇ ଜନକଲ୍ୟାଣ ପାଇଁ ଅଧିକ ସମୟ ଦେଉଥିଲେ । ସେ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଜରିଆରେ ସାରାବିଶ୍ବରେ ସ୍ବାସ୍ଥ୍ୟ , ଶିକ୍ଷା ସହ ସାମୂହିକ ବିକାଶ କାର୍ଯ୍ୟ ଜାରି ରଖିଥିଲେ। ୨୦୧୮ ମସିହାରେ ସେ ସଂସ୍ଥାକୁ ପାଖାପାଖି ୩୫୫ କୋଟି ଟଙ୍କା ଦାନ କରିଥିଲେ |

ମାଇକ୍ରୋସଫ୍ଟ ନିର୍ଦ୍ଦେଶକ ପଦରୁ ବିଲ ଗେଟ୍ସଙ୍କ ଇସ୍ତଫା ପରେ ଏବେ କମ୍ପାନୀ ବୋର୍ଡରେ ୧୨ଜଣ ସଦସ୍ୟ ରହିଛନ୍ତି । ବିଲ୍ ଗେଟ୍ସଙ୍କ ଏହି ଅବ୍ୟାହିତ ସମ୍ପର୍କରେ ଘୋଷଣା କରି କମ୍ପାନୀର ସିଇଓ ସତ୍ୟା ନାଡେଲା କହିଛନ୍ତି ବିଲ ଗେଟ୍ସଙ୍କ ସହ କାମ କରିବା ତାଙ୍କ ପାଇଁ ଏବଂ କମ୍ପାନୀ ପାଇଁ ଗର୍ବର ବିଷୟ | ସଫ୍ଟୱେୟାର ଜରିଆରେ ସେ ଲୋକଙ୍କୁ ସାହାଯ୍ୟ କରିବା ଉଦେଶ୍ୟରେ କମ୍ପାନୀ ସ୍ଥାପନା କରିଥିଲେ | ଏହି ଲକ୍ଷ୍ୟ ନେଇ ମାଇକ୍ରୋସଫ୍ଟ ଆଗକୁ ମଧ୍ୟ କାମ କରିବ ବୋଲି ସେ କହିଛନ୍ତି | ତାଙ୍କ ପରାମର୍ଶ ଅନୁଯାୟୀ କମ୍ପାନୀ ଆଗକୁ ମଧ୍ୟ କାମ କରିବ ବୋଲି ସେ କହିଛନ୍ତି | ବିଲ ଗେଟ୍ସଙ୍କ ଲିଡରସିପ କମ୍ପାନୀ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.