ଶେଷରେ ଚାକିରୀରୁ ସସପେଣ୍ଡ ହେଲେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ, ଆଦେଶରେ ସ୍ୱାକ୍ଷର କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 02, 2021 IST

ମୁମ୍ବାଇ ୨।୧୨: ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂହଙ୍କୁ ଗୁରୁବାର ମହାରାଷ୍ଟ୍ର ସରକାର ଚାକିରୀରୁ ନିଲମ୍ବିତ କରିଛନ୍ତି। ପରମବୀରଙ୍କ ସମେତ ଡିସିପି ପାହ୍ୟାର ଅନ୍ୟ ଜଣେ ଅଧିକାରୀଙ୍କ ନିଲମ୍ବନ ଲାଗି ଡିଜିପିଙ୍କୁ ଆଦେଶ ଦିଆଯାଇଛି। ପ୍ରାୟ ୩ ସପ୍ତାହ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁରୁବାର କାର୍ଯ୍ୟରେ ଯୋଗଦେଇଥିବା ବେଳେ ପରମବୀର ସିଂହଙ୍କ ନିଲମ୍ବନ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଆଣ୍ଟିଲିଆ ବିସ୍ଫୋରକ ବୋଝେଇ ବାହନ ଜବତ ଓ ବ୍ୟବସାୟୀ ମନସୁଖ ହୀରେନ୍‌ ହତ୍ୟାକୁ ନେଇ ପରମବୀର ସିଂହଙ୍କ ବିରୋଧରେ ମୁମ୍ବାଇ ଓ ଆଖପାଖ ଥାନାରେ କେତେକ ମାମଲା ରୁଜୁ ହୋଇଛି। ଏଥିରେ ମୁମ୍ବାଇ ପୋଲିସ ଏଏସଆଇ ସଚ୍ଚିନ ବାଜେ ଓ ବରିଷ୍ଠ ନିରୀକ୍ଷକ ପ୍ରଦୀପ ଶର୍ମା ଗିରଫ ହୋଇଛନ୍ତି। ଏହି ଗରିଫଦାରୀ ପରେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ତତ୍କାଳୀନ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଉପରେ ବଟି ଆଦାୟର ଅଭିଯୋଗ ଆଣିଥିଲେ।

{"id":553309,"width":839,"height":553,"sizeSlug":"full","linkDestination":"none"}

ଏବାବଦେ ପରମବୀର ସିଂହ ପ୍ରଥମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ମେଲ ପଠାଇ ଦେଶମୁଖ ୧୦୦ କୋଟି ଟଙ୍କା ଅସୁଲୀ ନିର୍ଦ୍ଦେଶ ଦେଇଥିବାର ଅଭିଯୋଗ ଆଣିଥିଲେ। ମାମଲାରେ ଡିଜିପି ସଞ୍ଜୟ ପାଣ୍ଡେ ପରମବୀର ସିଂହଙ୍କ କେସରେ ନାମିତ ମୁମ୍ବାଇ ପୋଲିସର ସବୁ ଅଧିକାରୀ ଓ କର୍ମଚାରୀଙ୍କ ନିଲମ୍ବନ ଲାଗି ପ୍ରସ୍ତାବ ଦେଇଥିଲେ। ତେବେ ପ୍ରସ୍ତାବକୁ ଗୃହ ବିଭାଗ ଅତିରିକ୍ତ ସଚିବ ମୁନୁ କୁମାର ଶ୍ରୀବାସ୍ତବ ଫେରାଇ ଦେଇଥିଲେ।

ତେବେ ପରମବୀର ସିଂହ ଓ ଜନୈକ ଡିସିପିଙ୍କ ନିଲମ୍ବନ ଲାଗି ପୁନର୍ବାର ଏକ ପ୍ରସ୍ତାବ ଦିଆଯାଇଥିବା ବେଳେ ଗୃହମନ୍ତ୍ରୀ ଦୀଲିପ ଭାଲସେ ପାଟିଲ ଏହାକୁ ମଞ୍ଜୁର କରିଥିଲେ। ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିବାରୁ ଆଦେଶ ଉପରେ ମୋହର ଲାଗି ପାରିନଥିଲା।  ଏବେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜର ସମ୍ମତି ପ୍ରଦାନ କରିଛନ୍ତି। ଫଳରେ  ଗୁରୁବାର ନିଲମ୍ବନ ଆଦେଶ ଜାରି କରିଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.