ମୌସୁମୀ ପାଇଁ ଅନୁକୂଳ ହେଉନି ପାଗ, ଆଗକୁ କଲବଲ କରିବ ତାତି

Published By : Prameya-News7 Bureau | June 10, 2024 IST

ଭୁବନେଶ୍ୱର ୧୦/୦୬:  ମୌସୁମୀ ବାୟୁ ଆଗକୁ ବଢ଼ିବାକୁ ସ୍ଥିତି ଅନୁକୂଳ ନାହିଁ। ଆଗାମୀ ୩,୪ ଦିନ ପର୍ଯ୍ୟନ୍ତ ଅଗ୍ରସର ନ ହୋଇପାରେ ମୌସୁମୀ ବାୟୁ । ମୌସୁମୀ ସକ୍ରିୟ ହୋଇପାରୁନଥିବାରୁ ବର୍ତ୍ତମାନ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରେବେଶ କରୁଛି ଯାହାର ପ୍ରଭାବରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଅନୁଭବ ହେଉଛି। 

ଆଗାମୀ ୫ ଦିନ ଉତ୍ତର ,ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେବ । ଦିନ ତାପମାତ୍ରା ୨,୩ ଡିଗ୍ରୀ ବଢିବା ନେଇ ଆକଳନ। ସୂଚନା ଥାଉକି, ଦକ୍ଷିଣ ଓଡ଼ିଶାରେ ମୌସୁମୀ ଛୁଇଁଥିଲେ ବି ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଉପକୂଳରେ ମଧ୍ୟ ଲାଗି ରହିଛି ଅସହ୍ୟ ଗୁଳୁଗୁଳି । ଆହୁରି ୪ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବାର ସମ୍ଭାବନା ନଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । 

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାର ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ । ଗରମ, ଗୁଳୁଗୁଳି ଭିତରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେବାର ସମ୍ଭାବନା ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.