‘ମି ଠୁ’ ଅଭିଯୋଗ ଗୁଡ଼ିକୁ ଏଫ.ଆଇ.ଆର ଭାବେ ଗ୍ରହଣ କରିବା ପାଇଁ ହୋଇଥିବା ପିଆଇଏଲ ର ଶୁଣାଣୀ ଜରୁରୀ ଭିତ୍ତିରେ ହେବନାହିଁ : ସୁପ୍ରିମକୋର୍ଟ
22/10/2018 at 10:10 PM

ନୂଆଦିଲ୍ଲୀ ୨୨/୧୦: ସମ୍ପ୍ରତି ଦେଶରେ ଚାଲିଥିବା ‘ମି ଠୁ’ ଅଭିଯାନ ମଧ୍ୟରେ ଉଠୁଥିବା ବିଭିନ୍ନ ଅଭିଯୋଗକୁ ଏଫ.ଆଇ.ଆର ଭାବେ ଗ୍ରହଣ କରିବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଏହି ମାମଲାକୁ ଜରୁରୀ ବୋଲି ବିଚାର କରି ଏହାର ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛି । ନିୟମିତ ଏବଂ ସ୍ୱାଭାବିକ କ୍ରମରେ ଏହି ମାମଲାର ଶୁଣାଣି ହେବ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଆବେଦନକାରୀ ଓକିଲ ଏମ.ଏଲ.ଶର୍ମାଙ୍କୁ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ‘ମି ଠୁ’ ଅଭିଯାନରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ବିରୋଧରେ ମହିଳାମାନେ ଯୌନ ଶୋଷଣ, ଉତ୍ପୀଡ଼ନ, ଅସଦାଚରଣ ଆଦି ଅଭିଯୋଗ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରୁଛନ୍ତି । ତେଣୁ ଏହି ଅଭିଯୋଗ ଗୁଡ଼ିକ ପୋଲିସ ଏଫ.ଆଇ.ଆର ଭାବେ ଗ୍ରହଣ କରୁବୋଲି ଆଇନଜୀବୀ ଏମ.ଏଲ ଶର୍ମା ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଏଭଳି ଅଭିଯୋଗ ଆଣୁଥିବା ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଜାତୀୟ ମହିଳା କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗି ମଧ୍ୟ ପିଆଇଏଲରେ ଆବେଦନ କରାଯାଇଛି । ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଏହି ପିଆଇଏଲଟିର ଶୁଣାଣୀ ଜରୁରୀକାଳୀନ ଭିତ୍ତିରେ କରିବା ପାଇଁ ମଧ୍ୟ ଆଇନଜୀବୀ ଶର୍ମା ଅଦାଲତକୁ ନିବେଦନ କରିଥିଲେ ।