#MeTooର ପ୍ରଭାବ : ୧୯ ଜଣଙ୍କ ଯୌନ ଶୋଷଣ ଅଭିଯୋଗ ପରେ ଶେଷରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏମ.ଜେ.ଆକବର

Published By : Prameya-News7 Bureau | October 17, 2018 IST

ନୂଆଦିଲ୍ଲୀ ୧୭/୧୦ :ଶେଷରେ କେନ୍ଦ୍ର ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଏମ.ଜେ.ଆକବର ଇସ୍ତଫା ଦେଇଛନ୍ତି | ଅଭିଯାନ କ୍ରମରେ ତାଙ୍କ ବିରୋଧରେ ପାଖାପାଖି ୧୯ ଜଣ ମହିଳା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ | ଏମ.ଜେ.ଆକବର ବିଭିନ୍ନ ଇଂଗ୍ରେଜୀ ଖବରକାଗଜର ସମ୍ପାଦକ ଥିବାବେଳେ ବହୁ ମହିଳା ସାମ୍ବାଦିକଙ୍କ ସହ ଅସଦାଚରଣ କରିଛନ୍ତି ବୋଲି ସାମ୍ବାଦିକା ପ୍ରିୟ ରମଣୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ | ଏହି ସମୟରେ ଆକବର ନାଇଜେରିଆ ଗସ୍ତରେ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନଥିଲା | ଗତ ରବିବାର ଦିନ ସେ ବିଦେଶ ଗସ୍ତରୁ ଫେରିବା ପରେ ଏ ସବୁ ଅଭିଯୋଗ ମିଥ୍ୟା ବୋଲି ଗଣମାଧ୍ୟମକୁ କହିଥିଲେ | ଏଥିସହ ପ୍ରିୟା ରମାନିଙ୍କ ବିରୋଧରେ ମାନହାନି ମକଦ୍ଦମା କରିବେ ବୋଲି ସୂଚନା ଦେଇଥିଲେ | ସେହି ଅନୁସାରେ ସୋମବାର ଦିନ ସେ ପ୍ରିୟା ରମାନିଙ୍କ ବିରୋଧରେ ଫୌଜଦାରୀ ମାନହାନି ମକଦ୍ଦମା ଦାୟର କରିଥିଲେ | ଏହି ମକଦ୍ଦମା ପରିଚାଲ କରିବା ପାଇଁ ୯୦ ରୁ ଅଧିକ ଓକିଲ ନିଯୁକ୍ତ କରିଥିବା କୁହାଯାଉଥିଲା | ଆକବରଙ୍କ ସପକ୍ଷରେ ମଧ୍ୟ ପ୍ରଦେଶ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ମଧ୍ୟ ବୟାନ ଦେଇଥିଲେ | ଅଭିଯୋଗ ଆଣିଥିବା ମହିଳା ସାମ୍ବାଦିକମାନେ ନିରୀହ ନୁହନ୍ତି ବୋଲି ସେ କହିଥିଲେ | ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତା ଶାହ ମଧ୍ୟ ନିଜ ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ | ସେ କହିଥିଲେ ଜେ, ସୋସିଆଲ ମିଡ଼ିଆରେ ପ୍ରକାଶ ପାଉଥିବା ସବୁ ଖବର ସତ୍ୟ ନୁହେଁ | ଏହାକୁ ଠିକ ଭାବେ ତର୍ଜମା କରାଯିବ ଉଚିତ | ତେବେ ଆକବରଙ୍କ ପାଇଁ ବିଜେପି ବିରୋଧୀ ଦଳ ଦ୍ୱାରା ସମାଲୋଚିତ ହୋଇଥିଲା | ଆକବରଙ୍କ ଇସ୍ତଫା ପାଇଁ ଦଳ ଭିତରୁ ଏବଂ ବାହାରୁ ଚାପ ପଡିଆସୁଥିଲା | ଏହି ସମୟରେ ପ୍ରତିଦିନ ଜଣକ ପରେ ଜଣେ ମହିଳା ଆକବରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ | ଫଳରେ ଆକବର ଆଜି ବାଧ୍ୟ ହୋଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.