ଶମ୍ମା ସିକନ୍ଦର: "ପିଠି ଆଉ ଜଙ୍ଘରେ ହାତ ମାରୁଥିଲେ ନିର୍ଦେଶକ/ ପ୍ରଯୋଜକ"

Published By : Prameya-News7 Bureau | October 31, 2018 IST

ମୁମ୍ବାଇ ୩୧/୧୦ : ଜଣାଶୁଣା ଅଭିନେତ୍ରୀ ଶମ୍ମା ସିକନ୍ଦର ଏବେ ଜୀବନର ସୁନ୍ଦର ପର୍ଯ୍ୟାୟରେ ଅଛନ୍ତି | ସଫଳତା ଅଛି, ପଇସା ଅଛି ଏବଂ ବିଶେଷ କରି ନିଜକୁ ସେ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ କରୁଛନ୍ତି | କିନ୍ତୁ 'ମି ଠୁ' ଅଭିଯାନକୁ ଦୃଷ୍ଟିରେ ରଖି ସେ ନିଜ ଅତୀତ ଦିନର କଥା ମାନେ ପକାଇ ଫିଲ୍ମ ଇଣ୍ଡଟ୍ରିର ଏକ ଅନ୍ଧାରି ଦିଗ ସମ୍ପର୍କରେ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ, ଏବେ 'ମି ଠୁ' ଅଭିଯାନ ଯୋଗୁଁ ୮୦ ପ୍ରତିଶତ ପୁରୁଷଙ୍କ ହାଲୁଆ ଶୁଖିଯାଇଛି | ସମସ୍ତେ ଭାବୁଛନ୍ତି ଯେ, ତାଙ୍କ ପାଳି ଯେକୌଣସି ମୁହୂର୍ତ୍ତରେ ଆସିପାରେ ଆଉ ତାଙ୍କ ମୁଖା ଖୋଲିଯିବ | ଶମ୍ମା ସିକନ୍ଦର ମାତ୍ର ୧୪ ବର୍ଷ ବୟସରେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ | ଦେଖିବାକୁ ସୁନ୍ଦର | ନିଜ ବୟସଠାରୁ ଟିକେ ଅଧିକ ବଡ ଦେଖାଯାଉଥିଲେ ସେ | ଘରର ଆର୍ଥିକ ଅସ୍ୱଚ୍ଛଳତା ଯୋଗୁଁ ପାଠ ନପଢିସେ ପାଦ ଦେଇଥିଲେ ଏଇ ଚିକମିକ ଦୁନିଆରେ | ଫିଲ୍ମ ଇଣ୍ଡଷ୍ଟ୍ରିରେ ଗ୍ଲାମର ସାଙ୍ଗକୁ ସମ୍ମାନ ଅଛି ବୋଲି ତାଙ୍କ ପିତାଙ୍କ ଧାରଣା ଥିଲା | ସେଥିପାଇଁ ସେ ହିଁ ପ୍ରେରଣା ଦେଇଥିଲେ ଫିଲ୍ମ ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ | ଆରମ୍ଭ ଦିନଗୁଡିକରେ ସେ କେମିତି ଯୌନ ଶୋଷଣର ଶିକାର ହୋଇଥିଲେ ସେ କଥା ମନେପକାଇ ଆଜି ବି ଶମ୍ମା ଘୃଣା କରୁଛନ୍ତି କିଛି ଲୋକଙ୍କୁ | ପାର୍ଟିକୁ ଗଲାବେଳେ ସୁଟିଂ ସେଟରେ ବିଭିନ୍ନ ଲୋକ ଆସି ତାଙ୍କ ପିଠି ଓ ଜଙ୍ଘରେ ହାତ ମାରି ଚାଲିଯାଉଥିଲେ | ବୟସ ଅଳ୍ପ କାରଣରୁ ପ୍ରଥମେ ପ୍ରଥମେ ଏଭଳି ସ୍ପର୍ଶର ଅର୍ଥ ସେ ବୁଝିପାରୁନଥିଲେ | କିନ୍ତୁ ଧୀରେ ଧୀରେ ଜାଣିଲେ ଯେ, ବିକୃତ ଯୌନ ପିପାସୁଙ୍କର କାମନା ଚରିତାର୍ଥ କରିବା ପାଇଁ ଏହା ଏକ ମାଧ୍ୟମ | କେବଳ ସେତିକି ନୁହେଁ କେହି କେହି ତାଙ୍କୁ ଦ୍ବିଅର୍ଥବୋଧକ କଥା କହନ୍ତି | ପ୍ରଥମେ ପ୍ରଥମେ ସେ ତାହା ଜାଣିପାରୁନଥିଲେ | କିନ୍ତୁ ପରବର୍ତ୍ତୀ ସମୟରେ ସେଭଳି ଲୋକଙ୍କଠାରୁ ଦୁରେଇ ରହିବା ପାଇଁ ଚେଷ୍ଟା କରିଥିଲେ | ସବୁଠୁ ଆଶ୍ଚର୍ଯ୍ୟଜନକ ସ୍ଥିତି ଉପୁଜିଥିଲା ଯେତେବେଳେ ଜଣେ ପ୍ରଯୋଜକ ଶମ୍ମାଙ୍କୁ କହିଥିଲେ ଯେ, ଶମ୍ମାଙ୍କ ଚେହେରା ତାଙ୍କର ଜଣେ ପୂର୍ବତନ ପ୍ରେମିକାଙ୍କ ଚେହେରା ସହ ସାମଞ୍ଜସ୍ୟ ରହିଛି | ତେଣୁ ଧୀରେ ଧୀରେ ଶମ୍ମାଙ୍କ ଚେହେରାକୁ ସେ ଭଲପାଇ ବସିଲେଣି | ଶମ୍ମାଙ୍କୁ ସମ୍ପୃକ୍ତ ପ୍ରଯୋଜକ ଶାରୀରିକ ସମ୍ପର୍କ ପାଇଁ ମଧ୍ୟ ନିବେଦନ କରିଥିଲେ | ଶମ୍ମା ଏଥିରେ ଅସହମତ ହେବାରୁ ପ୍ରଯୋଜକ ତାଙ୍କୁ ବିଜ୍ଞାପନ ଫିଲ୍ମରୁ ବାହାର କରିଦେଇଥିଲେ ବୋଲି ସେ କହିଛନ୍ତି | ଶମ୍ମା ଆଉ ଏକ ଘଟଣା ମନେ ପକାଇଛନ୍ତି | ଜଣେ ନିର୍ଦେଶକ ତାଙ୍କୁ ସିଧା ସିଧା ପଚାରିଥିଲେ ଯେ, ଫିରୋଜ ଖାନ ତାଙ୍କ ସହ କଣ କଣ କରିଛନ୍ତି | ସୂଚନାଯୋଗ୍ୟ ଯେ, ଫିରୋଜ ଖାନ ଶମ୍ମାଙ୍କୁ ବ୍ରେକ ଦେଇଥିଲେ | ସମ୍ପୃକ୍ତ ନିର୍ଦେଶକ କହିଥିଲେ ଯେ, ମାଗଣାରେ ତ କେହି ବ୍ରେକ ଦେଇନଥିବେ | ନିଶ୍ଚୟ ଫିରୋଜ ଖାନ କିଛି ନା କିଛି କରିଥିବେ | ଫିରୋଜ ଖାନ ତାଙ୍କ ପିତା ସଦୃଶ ବୋଲି ଶମ୍ମା କହିବାପରେ ମଧ୍ୟ ସମ୍ପୃକ୍ତ ନିର୍ଦେଶକ ମାନିବାକୁ ନାରାଜ ଥିଲେ | ସେ କହିଥିଲେ ଯେ, ଫିରୋଜ ଖାନ ହୁଏତ ତାଙ୍କୁ ଝିଅ ଭଳି ଦେଖୁଥାଇପାରନ୍ତି | କିନ୍ତୁ ସେ ସେମିତି କାହାକୁ ଝିଅ ଭଳି ଦେଖିପାରିବେନି | ନିର୍ଦେଶକଙ୍କ ଏଭଳି କଥାର ଅସଲ ଅର୍ଥ ଶମ୍ମା ବୁଝିପାରିଥିଲେ ଆଉ ନିର୍ଦେଶକଙ୍କୁ ନିରାପଦ ଦୂରତା ଅବଲମ୍ବନ କରିଥିଲେ | ଫଳରେ ତାଙ୍କୁ ଫିଲ୍ମରୁ ବାଦ ଦିଆଯାଇଥିଲା | ଶମ୍ମା ଯେତେବେଳେ ଇଣ୍ଡଷ୍ଟ୍ରିର ଯୌନ ପିପାସୁଙ୍କ ଆଦବା କାଇବ ବୁଝିଗଲେ ସେତେବେଳେ ବିଭିନ୍ନ ଲୋକଙ୍କ ଛୁଇଁବା ଅଯଥା କଥାବାର୍ତା କରିବାକୁ ବିରୋଧ କରିବା ଆରମ୍ଭ କରିଥିଲେ | କିନ୍ତୁ ଜଣେ ଅଭିଜ୍ଞ କେଶ ପ୍ରସାଧିକା ତାଙ୍କୁ କହିଥିଲେ ଯେ, ଇଣ୍ଡଷ୍ଟ୍ରିରେ ଯଦି ରହିବାର ଅଛି ତାହେଲେ ଏତେ ନଖରାମି ଦେଖାଇଲେ ଚାଲିବ ନାହିଁ | ତାଙ୍କୁ ବିଲକୁଲ କାମ ମିଳିବନି | ନିଜ କ୍ୟାରିଅର ଭିତରେ ଏମିତି ଘଟଣା ଅନେକ ଘଟିଛି | ଅନେକଥର କଂପରମାଇଜ ନକରିବା କାରଣରୁ ତାଙ୍କୁ ବଡ ବଡ ପ୍ରୋଜେକ୍ଟ ହାତଛଡା କରିବାକୁ ପଡିଛି ବୋଲି ଶମ୍ମା କହିଛନ୍ତି | ଏତେ ବର୍ଷ ପରେ ସେମାନଙ୍କ ନାଁ ନେଇ କହି ଅଯଥା ଵିଵାଦ ସୃଷ୍ଟି କରିବାକୁ ସେ ଚାହାନ୍ତି ନାହିଁ ବୋଲି ଶମ୍ମା କହିଛନ୍ତି | ଶମ୍ମା କହିଛନ୍ତି ଯେ, ଯେକୌଣସି ସୁଟିଂକୁ ଗଲାବେଳେ ସେ ତାଙ୍କ ବାପାଙ୍କୁ ସାଙ୍ଗରେ ନେଇ ଯାଇଥିଲେ | କିଛି ପ୍ରଯୋଜକ ନିର୍ଦେଶକ ଏହାକୁ ବିରୋଧ କରିଥିଲେ | ଜଣେ ପ୍ରଯୋଜକ ତ ସର୍ତ୍ତ ରଖିଥିଲେ ଯେ, ସୁଟିଂ ସେଟକୁ ବାପାଙ୍କୁ ଆଣିପାରିବେ ନାହିଁ ବୋଲି | ସମ୍ପ୍ରତି ଚାଲିଥିବା 'ମି ଠୁ' ଅଭିଯାନ ନିଶ୍ଚୟ ମହିଳାଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବ ବୋଲି ଆଶା ରଖିଛନ୍ତି ଶମ୍ମା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.