କ୍ଲାଉଡ୍‌ ସିଡିଂକୁ ନେଇ ବୈଜ୍ଞାନିକଙ୍କ ଚେତାବନୀ: ଆରମ୍ଭ ହେବ ଜଳବାୟୁ ଯୁଦ୍ଧ !

Published By : Prameya-News7 Bureau | April 21, 2024 IST

ମରୁଭୂମିର ରାଷ୍ଟ୍ର ୟୁଏଇରେ ଜଳ ପ୍ରଳୟକୁ ନେଇ ଚିନ୍ତାରେ ବିଶ୍ୱ। ଏଠାରେ ଖୁବ କମ୍ ବର୍ଷା ହୋଇଥାଏ। କିନ୍ତୁ ଏଥରର ରେକର୍ଡ ବର୍ଷା ଏକ ନୂଆ ବିତର୍କ ସୃଷ୍ଟି କରିଛି। ଦୁବାଇରେ ମାତ୍ର ୨୪ ଘଣ୍ଟାରେ ୧୪୨ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ। ଅର୍ଥାତ ଦିନକରେ ହେଲା ବର୍ଷକ ଯାକର ବର୍ଷା। ଯୁଆଡେ ଦେଖିବ ପାଣି ଆଉ ପାଣି। ଆଖି ଆଗରେ ଭାସିଗଲା ଦାମୀ କାର୍। ବିମାନ ସେବା ହେଲା ବାଧାପ୍ରାପ୍ତ। ଘରୁ ନବାହାରିବାକୁ ପରାମର୍ଶ। ଏହି ମହାଦଶା ପାଇଁ ଦାୟୀ 'କ୍ଲାଉଡ୍ ସିଡିଂ'। ଏନେଇ ଚେତାବନୀ ଦେଇଛନ୍ତି ପାଣିପାଗ ବିଜ୍ଞାନୀ। କହିଛନ୍ତି ଭବିଷ୍ୟତରେ ଏହା ନେବ ଓ୍ୱେଦର ଓ୍ୱାର୍ ବା 'ଜଳବାୟୁ ଯୁଦ୍ଧ'ର ରୂପ। ଯଦି ଏହା ଘଟେ, ଏହାର ପରିଣାମ ହେବ ଭୟଙ୍କର।

କ୍ଲାଉଡ୍ ସିଡିଂ ପରେ ପାଣିପାଗର ଅସ୍ୱାଭାବିକ ପରିବର୍ତ୍ତନ ଏବେ ଚିନ୍ତା ବଢାଇଛି। କ୍ଲାଉଡ୍ ସିଡିଂ କୃତ୍ରିମ ବର୍ଷା କରିବାର ଏକ ପଦ୍ଧତି। ଏଥିରେ ସିଲଭର୍ ଆୟୋଡାଇଡ୍ ଓ ଡ୍ରାଏ ଆଇସ୍କୁ ଏକ ବିମାନ ସାହାଯ୍ୟରେ ବାଦଲ ଉପରେ ଛଡ଼ାଯାଏ।  ୧୯୪୦ ଦଶକରୁ ଏହି ପ୍ରକ୍ରିୟା ବ୍ୟବହାର ହୋଇଆସୁଛି। ବୃଷ୍ଟିପାତକୁ ତ୍ୱରାନ୍ୱିତ କରିବା ପାଇଁ ୧୯୯୦ରୁ ୟୁଏଇ ଆରମ୍ଭ କରିଥିଲା କ୍ଲାଉଡ୍ ସିଡିଂ। 

ଯଦି କ୍ଲାଉଡ୍ ସିଡିଂ ନିୟନ୍ତ୍ରଣ ବାହାରକୁ ଯାଏ ତେବେ ଦେଶ ଦେଶ ମଧ୍ୟରେ 'ଜଳବାୟୁ ଯୁଦ୍ଧ' ହେବାର ସମ୍ଭାବନା ରହିଛି। ପରିବେଶ ପ୍ରଯୁକ୍ତିବିଦ୍ୟା କମ୍ପାନୀ କିଷ୍ଟର୍ସର ବରିଷ୍ଠ ପାଣିପାଗ ବିଜ୍ଞାନୀ ଜୋହାନ ଜ୍ୟାକ ଏନେଇ ଦେଇଛନ୍ତି ଚେତାବନୀ। କହିଛନ୍ତି- ଏହି ନୂଆ ଟେକନିକ୍ ବ୍ୟବହାର କରିବା ଦ୍ୱାରା 'ଅପ୍ରତ୍ୟାଶିତ ପରିଣାମ' ଭୋଗିବାକୁ ପଡ଼ିବ। ଏହାର ପରିମାଣ ସ୍ୱରୁପ ଦେଶରେ ସୃଷ୍ଟି କରିପାରେ ରାଜନୈତିକ ଅସ୍ଥିରତା। ଯେତେବେଳେ ଆମେ ପ୍ରାକୃତିକ ବୃଷ୍ଟିପାତର ଢାଞ୍ଚାରେ ହସ୍ତକ୍ଷେପ କରୁ, ସେତେବେଳେ ଆମେ ଅନେକଗୁଡ଼ିଏ ନୂଆ ଘଟଣା ଘଟାଇଥାଉ ଯାହା ଉପରେ ଆମର ସାମାନ୍ୟ ନିୟନ୍ତ୍ରଣ ନାହିଁ।

ଜୋହାନ ଜ୍ୟାକଙ୍କ ଅନୁଯାୟୀ, 'ଜଳବାୟୁ ସହିତ ହସ୍ତକ୍ଷେପ କଲେ ଅନେକ ସମସ୍ୟାକୁ ଜନ୍ମ ଦେବ। ଜଳବାୟୁ ଦେଶର ସୀମାକୁ ଚିହ୍ନି ନଥାଏ। ଏଭଳି ପରିସ୍ଥିତିରେ ଗୋଟିଏ ଦେଶରେ ପାଣିପାଗ ବଦଳିଲେ ଏହା ଅନ୍ୟ ଦେଶରେ ଭୟଙ୍କର ପ୍ରଭାବ ପକାଇପାରେ। କ୍ଲାଉଡ୍ ସିଡିଂ କାରଣରୁ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ। ଦୁବାଇରେ ଜଳବାୟୁରେ ପରିବର୍ତ୍ତନ ପାଇଁ ଆମେ ଏପରି ଟେକ୍ନୋଲୋଜିର ବ୍ୟବହାର ଅପ୍ରତ୍ୟାଶିତ ପରିଣାମର ଏକ ଚେତାବନୀ।

ୟୁଏଇର ନ୍ୟାସନାଲ ସେଣ୍ଟର ଅଫ୍ ମେଟେରୋଲୋଜି (ଏନସିଏମ୍)ର ପାଣିପାଗ ବିଶେଷଜ୍ଞ ଅହମ୍ମଦ ହବିବ କହିଛନ୍ତି ଯେ ଭୀଷଣ ବର୍ଷା ହେବାର କିଛି ଦିନ ପୂର୍ବରୁ ଅନେକ ବିମାନ ସହାୟତାରେ କ୍ଲାଉଡ୍ ସିଡିଂ କରାଯାଇଥିଲା। ଝଡ଼ବର୍ଷା ପୂର୍ବରୁ ଏହି ଅପରେସନ୍ ହୋଇଛି। 

କେବଳ ୟୁଏଇ ନୁହେଁ, ଭାରତ ସମେତ ଆମେରିକା, ଚୀନ, ଜର୍ମାନୀ, ମାଲେସିଆ, ଋଷ ଓ ମେକ୍ସିକୋରେ କ୍ଲାଉଡ ସିଡିଂ କରାଯାଉଛି। ତେବେ କୁତ୍ରିମ ଢାଞ୍ଚାରେ ଜଳବାୟୁକୁ ପରିବର୍ତ୍ତନ କରିବା ବିପଦକୁ ଡାକିବା ସହ ସମାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.