Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘନୀଭୂତ ହେବ ଲଘୁଚାପ: ୮ ଜିଲ୍ଲାକୁ ରେଡ୍‌ ଓ୍ୱାର୍ଣ୍ଣିଂ; ଜଳବନ୍ଦୀ ଓ ଭୂସ୍ଖଳନ ଆଶଙ୍କା

12/09/2023 at 9:09 PM

ଭୁବନେଶ୍ୱର,୧୨/୦୯: ଘନୀଭୂତ ହେବ ଲଘୁଚାପ। ଭିଜିବ ଅଧା ଓଡ଼ିଶା। ଗତକାଲିର ଘୂର୍ଣ୍ଣିବଳୟ ଆଜି କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ଲଘୁଚାପ ସୃଷ୍ଟି ହେବା ପରେ ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଓ କିଛି ଜିଲ୍ଲାରେ ଅତ୍ୟନ୍ତ ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଫଟୋ- ଆଞ୍ଚଳିକ ପାଣିପାଗ ବିଭାଗ, ଭୁବନେଶ୍ୱର

୧୩ ତାରିଖ ସକାଳରୁ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ଏସବୁ ଜିଲ୍ଲାକୁ ଆଲର୍ଟ:

ରେଡ୍ ଓ୍ୱାର୍ଣ୍ଣିଂ: ଲଘୁଚାପ ପ୍ରଭାବରେ ଆସନ୍ତାକାଲି(୧୩ ତାରିଖ) ପାଇଁ ୮ଟି ଜିଲ୍ଲାକୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା କଟକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ ଓ ଗଞ୍ଜାମ। ଏହି ଜିଲ୍ଲାଗୁଡ଼ିକରେ ୭ରୁ ୨୦ସେମି ଓ କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହା ଯୋଗୁଁ କୃତ୍ରିମ ବନ୍ୟା, ଜଳବନ୍ଦୀ ସମସ୍ୟା ଉପୁଜିବ। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ମାଟି ଘର ଭାଙ୍ଗିବା ସମ୍ଭାବନା ରହିଛି। ତେବେ ବର୍ଷା ସମୟରେ ଯଥା ସମ୍ଭବ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଫଟୋ- ଆଞ୍ଚଳିକ ପାଣିପାଗ ବିଭାଗ, ଭୁବନେଶ୍ୱର

ଅରେଞ୍ଜ ଓ୍ୱାର୍ଣ୍ଣିଂ: ସେହିପରି ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଜପତି, ରାୟଗଡା, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର ବରଗଡ଼ ଓ ସମ୍ବଲପୁରକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ୭ରୁ ୨୦ସେମି ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି।

ୟେଲୋ ଓ୍ୱାର୍ଣ୍ଣିଂ: ସେହିପରି କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡା, ଦେଓଗଡ଼, କେଉଁଝର ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରିକରାଯାଇଛି। ଏହି ଜିଲ୍ଲାରେ ୭-୧୧ ସେମି ବର୍ଷା ହେବାର ସମ୍ଭାବନା ରହିଛି।

ସେପଟେ କୃଷି ପାଇଁ ଅନୂକୂଳ ରହିଥିବା ନେଇ କହିଛନ୍ତି କୃଷି ବିଶେଷଜ୍ଞ । ଅଗଷ୍ଟ ଭଳି ଶୁଖିଲା ପାଗ ସେପ୍ଟେମ୍ବର ରହିବନି । ଏବେ ରବି ଫସଲ ପାଇଁ ପାଗ ଅନୁକୂଳ। ଅଗଷ୍ଟ ତୂଳନରେ ସେପ୍ଟେମ୍ବରେ ଭଲ ବର୍ଷା ହେବ ବୋଲି କହିଛନ୍ତି । ସେପଟେ ଜୁନ୍ ୧ ରୁ ୧୨ ସେପ୍ଟେମ୍ବର ଯାଏ ୧୦୨୮.୨ ମିମି ବର୍ଷା ହେବା କଥା କିନ୍ତୁ ୯୦୪.୫ ମିମି ବର୍ଷା ରେକର୍ଡ଼ କରାଯାଇଛି । ସାରା ରାଜ୍ୟରେ ୧୨ ପ୍ରତିଶତ କମ୍ ବର୍ଷା ରେକର୍ଡ଼ କରାଯାଇଛି । ୧୦ ଟି ଜିଲାରେ ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ୨୦ ଟି ଜିଲାରେ ସ୍ୱାଭାବିକ୍ ବର୍ଷା ରେକର୍ଡ଼ ହୋଇଛି ।

   Related Posts